ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୬୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂ ଯୋଗଦାନ କରିଥିଲେ। ଅଭିଭାଷଣରେ କହିଛନ୍ତି, ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ହେଉଛି ଆମ ଓଡ଼ିଆ ଅସ୍ମିତାର ବାର୍ତାବହ |
ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଓଡ଼ିଶାର ଇତିହାସକୁ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି। ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ଗାଥାକୁ ଲୋକଙ୍କ ନିକଟରେ ପହଂଚାଇବା ଏବଂ ଏହାର ପ୍ରଚାର ଓ ପ୍ରସାର କରିବା ଦିଗରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସଂଗ୍ରହାଳୟର ସମସ୍ତ ଗ୍ୟାଲେରୀ ଦର୍ଶକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ସାଜିଛି।
ବିଧାୟକ ବାବୁ ସିଂ ସଂଗ୍ରହାଳୟରେ ରହିଥିବା ତିନିରଥ (ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ)ର ଚକରେ ପୁଷ୍ପା ଅର୍ପଣ କରିଥିଲେ। ଭକ୍ତକବି ମଧୁସୂଦନ ରାଓଙ୍କ ବ୍ୟବହୃତ ସାମଗ୍ରୀ ଆୟୋଜିତ ସ୍ୱତନ୍ତ୍ର ପ୍ରଦର୍ଶନୀକୁ ବିଧାୟକ ଉଦ୍ଘାଟନ କରିଥିଲେ। ପ୍ରଦର୍ଶନୀ କକ୍ଷରେ ଭକ୍ତିକବିଙ୍କ ହାତଲେଖା ଦସ୍ତାବିଜ, ଭକ୍ତକବି ରାୟ ବାହାଦୂର ପ୍ରମାଣପତ୍ର, ଭକ୍ତକବିଙ୍କ ବ୍ୟବହୃତ ଆସନ, କାଠମାଣ, ବାଉଁଶିଆ, ପିତଳ ବାକ୍ସ, ଦୁଆତ, ପରିବାରବର୍ଗଙ୍କ ଫଟୋଚିତ୍ର, ସୁଖବୋଧ ଅଭିଧାନ ଚୁକ୍ତି ସ୍ମାରକୀ, ବିଦ୍ୟାଳୟ ପରିଚାଳନା ବାବଦରେ ମଧୁବାବୁଙ୍କ ହାତଲେଖା ଆଦିକୁ ସ୍ଥାନିତ କରାଯାଇଥିଲା।
ଆଜିର କାର୍ଯ୍ୟକ୍ରମରେ “ଓଡ଼ିଶା ହିଷ୍ଟୋରିକାଲ ରିସର୍ଚ୍ଚ ଜର୍ନାଲ’ ଏବଂ “ଓଡ଼ିଆ ଅଭିଲେଖ ସଂକଳନ” ନାମରେ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏଥିସହ ବିଶିଷ୍ଟ ଶିଳ୍ପୀ ସୁରେନ୍ଦ୍ର ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପ୍ରତିଷ୍ଠା ଦିବସ ପାଳନ ପରିପ୍ରେକ୍ଷୀରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାର କୃତୀ ପ୍ରତିଭାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ସମସ୍ତ ଦର୍ଶକମାନଙ୍କ ପ୍ରବେଶ ଟିକେଟ ଫି ଛାଡ଼ କରାଯାଇଥିଲା