ରାଜ୍ୟରେ ଆଉ ୬୭ ମୃତ,ଚିହ୍ନଟ ହେଲେ ୧୮୩୩ ଜଣ କରୋନା ପଜିଟିଭ୍

ଭୁବନେଶ୍ବର, (ଏସ୍‌ ନ୍ୟୁଜ): ରାଜ୍ୟରେ କମୁନାହିଁ କୋରୋନାଜନିତ ମୃତ୍ୟୁସଂଖ୍ୟା । ଦିନକୁ ଦି ଗଡି ଚାଲିଛି ମୁଣ୍ଡ । ଆଜି ରାଜ୍ୟରେ ଆଉ 67 ଜଣଙ୍କ ଜୀବନ ନେଇଛି ମହାମାରୀ । ଆଜିର ମୃତକଙ୍କୁ ମିଶାଇ ସଂଖ୍ୟା 5512କୁ ବୃଦ୍ଧି ହୋଇଛି । ଆଜିର ମୃତକଙ୍କ ମଧ୍ୟରେ ଅନୁଗୋଳରୁ 10ଜଣ, ଖୋର୍ଦ୍ଧାରୁ 24ଜଣ, ଦେବଗଡ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡା, କେନ୍ଦ୍ରପଡା ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଗଞ୍ଜାମରୁ 2ଜଣ, କେନ୍ଦୁଝରରୁ 10ଜଣ ଓ ମାଲକାନାଗିରିରୁ ଜଣେ ଆକ୍ରାନ୍ତ ଆଖି ବୁଜିଛନ୍ତି । ସେହିପରି ମୟୂରଭଞ୍ଜରୁ 2ଜଣ, ନୂଆପଡାରୁ ଜଣେ, ପୁରୀରୁ 5 ଜଣ, ସୁନ୍ଦରଗଡରୁ 6 ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି । ରାଜ୍ୟରେ ସଂକ୍ରମଣରେ ହ୍ରାସ ଘଟିଛି। ଆଜି ୨ ହଜାର ତଳେ ରହିଛି ଦୈନିକ ସଂକ୍ରମଣ । ହେଲେ କିଛି ଦିନ ହେବ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନାହିଁ । ଦୈନିକ 60 ଜଣରୁ ଊର୍ଦ୍ଧ୍ବ ଆକ୍ରାନ୍ତଙ୍କର ମୃତ୍ୟୁ ହେଉଛି ।  ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

1833ଟି ନୂଆ କେସ୍ ସହିତ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 9 ଲକ୍ଷ 67 ହଜାର 548ରେ ପହଞ୍ଚି ଯାଇଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୪୩ ହଜାର ୬୯ ଜଣ ସୁସ୍ଥ ହୋଇସାରିଛନ୍ତି । ୧୮ ହଜାର ୯୧୪ ଜଣ ଚିକିତ୍ସାଧୀନ ରହିଛନ୍ତି । ସଂକ୍ରମଣ ହାର କମିଲେ ବି ବିପଦ ଟଳିନାହିଁ । ରାଜ୍ୟରେ କଟକଣା କୋହଳ କରାଯାଇଛି ସତ ହେଲେ ଲୋକଙ୍କ ସୁରକ୍ଷାକୁ ଦୁଷ୍ଟିରେ ରଖି ଅଗଷ୍ଟ ପହିଲା ପର୍ଯ୍ୟନ୍ତ ଆଂଶିକ କଟକଣା ବଳବତ୍ତର ରହିଛି ।