ରାଜଧାନୀରେ କଟୁରୀ ଦେଖାଇ ଯୁବକଙ୍କ ଆତଙ୍କ ରାଜ

ଭୁବନେଶ୍ୱର(ଏସ ନ୍ୟୁଜ ):ଦିନକୁ ଦିନ ରାଜଧାନୀରେ ବଢ଼ି ଚାଲିଛି ଆତଙ୍କରାଜ। କେତେବେଳେ ଦିନ ଦ୍ୱିପ୍ରହରରେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ଦୁର୍ବୃତ୍ତ ହାଣୁଛି ତ ଆଉ କେତେବେଳେ ଖଣ୍ଡା ବୁଲାଇ ମାରିଦେବାକୁ ଧମକ ଦିଆଯାଉଛି ।ଏଭଳି ସ୍ତିତିରେ ପୁଣି ଏପରି ଏକ ଘଟଣା ସାମନାକୁ ଆସିଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ଘର ବାହାରେ କଟୁରି ବୁଲାଇ ଦୁର୍ବୃତ୍ତ ଧମକ ଚମକ ଦେଇଥିବା ନେଇ ଅଭିଯୋଗ ହୋଇଛି । ଭୁବନେଶ୍ୱର ଶାସ୍ତ୍ରୀନଗର ଅଞ୍ଚଳରେ ଦୁର୍ବୃତ୍ତଙ୍କ ଏପରି ଆତଙ୍କରାଜ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ଦୁର୍ବୃତ୍ତଜଣକ ଶାସ୍ତ୍ରୀନଗରର ଜଣେ ବ୍ୟକ୍ତିଙ୍କ ଘର ବାହାରେ କଟୁରି ବୁଲାଇ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି । ଘରୁ ପଦାକୁ ବାହାରିଲେ ପରିବାର ଲୋକଙ୍କୁ ହତ୍ୟା କରିଦେବାକୁ ଧମକ ମଧ୍ୟ ଦେଇଛି ଦୁର୍ବୃତ୍ତ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଖାରବେଳ ନଗର ଥାନା ପୁଲିସ୍‌। ଆତଙ୍କରାଜ ପରେ ଦୁର୍ବୃତ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।ଆତଙ୍କରାଜର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବାରୁ ସେହି ଆଧାରରେ ପୁଲିସ୍‌ ନିଜ ତଦନ୍ତ ଆଗକୁ ବଢାଇଛି ।

ତେବେ କିଛି ଦିନ ପୂର୍ବେ ରାଜଧାନୀ ରାଜରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଜଣେ ମିଠା ଦୋକାନୀଙ୍କୁ ଖଣ୍ଡାରେ ହାଣିବା ପରେ ପୁଣି ଏଭଳି ଏକ ଘଟଣା ରାଜଧାନୀବାସୀଙ୍କୁ ଆତଙ୍କିତ କରିଛି ।