ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବେ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପରେଡ୍ ସ୍ଥଳରେ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ତା ସହିତ କାଉଣ୍ଟର ଟେରରିଷ୍ଟ ସ୍କ୍ୱାଡ୍, ସ୍ପେସାଲ ଟାକ୍ଟିକାଲ ୟୁନିଟ, ସ୍ୱତନ୍ତ୍ର ତାଲିମପ୍ରାପ୍ତ ଏସଓଜି ଯବାନ, ସାଦା ପୋଷାକଧାରୀ ପୁଲିସ, ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ, ରୁଫଟପ ସିକ୍ୟୁରିଟି, ସାର୍ପ ସୁଟର୍ ମୁତୟନ ରହିବେ । ଆଜି ରହିରର୍ସାଲ ଆରମ୍ଭ ହେବା ସହ କମିସନରେଟ ପୁଲିସର ବରିଷ୍ଠ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବେ ।
ସେହିପରି ଟ୍ରାଫିକ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରବୀନ୍ଦ୍ର ମଣ୍ଡପ, ଆଇଜି ପାର୍କ ପଟୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । ପରେଡ୍‌ସ୍ଥଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରି ଦିଆଯିବ । ଜନପଥରେ ଗାଡ଼ି ଚଳାଚଳ ସ୍ବାଭାବିକ ରହିବ।ଏଥର ପରେଡ୍‌ରେ ଅଳ୍ପ ସଂଖ୍ୟକ ଟ୍ରୁପ୍‌ ଭାଗନେବେ । ପୁଲିସ ବ୍ୟାଣ୍ଡ ସହ ୧୮ଟି ଟ୍ରୁପ୍ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।