ଝରାଫୁଲକୁ ତଂଟି ଚିପି ହତ୍ୟା କରିଛି ଅଭିଯୁକ୍ତ ରାକେଶ ସ୍ୱାଇଁ!

ଭୁବନେଶ୍ୱର,(ଏସ୍ ନ୍ୟୁଜ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ସସ୍ପେନ୍ସ ଉପରୁ ପରଦା ହଟିଛି । ପୁଲିସ ରିମାଣ୍ଡରେ ଥିବା ବେଳେ ଅଭିଯୁକ୍ତ ରାକେଶ ସ୍ୱାଇଁ ଦୋଷ ସ୍ୱିକାର କରିଛି । ଘଟଣାଦିନ ରାତିରେ ସେ ଝରାଫୁଲର ତଂଟି ଚିପି ହତ୍ୟା କରିଥିବା ପୁଲିସ ଆଗରେ ମାନିଛି । ପୁଲିସ ତା’ବୟାନ ଓ ତଥ୍ୟ ପ୍ରମାଣକୁ ଆଧାର କରି ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି । ଶୁକ୍ରବାର ଯାଜପୁର ଏସପି ଏନେଇ ସାମ୍ବାଦିକ ସମ୍ମିଳନୀରେ ବିଧିବଦ୍ଧ ଭାବେ ଘୋଷଣା କରିବେ ବୋଲି ଜଣାପଡିଛି ।

ଏକ ନିର୍ଭରଯୋଗ୍ୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୬ ତାରିଖ ରାତିରେ ଝରାଫୁଲ ଓ ରାକେଶ ଖଣ୍ଡଗିରି ଥାନା ଧର୍ମବିହାରରେ ଥିବା ଏକ ଗେଷ୍ଟ ହାଉସରେ ରହିଥିଲେ । ବିଳମ୍ବିତ ରାତିରେ ପ୍ରେମ ଓ ବିବାହକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଝରାଫୁଲ ଆଉ ଘରକୁ ନଫେରି ତାଙ୍କ ସହିତ ରହିବାକୁ କହିଥିଲେ । ଏହାକୁ ନେଇ ଧିରେଧିରେ ବିବାଦ ବଢିବାରେ ଲାଗିଥିଲା । ଯଦି ବିବାହ ନକରନ୍ତି, ତେବେ ତାଙ୍କୁ ଦୁଷ୍କର୍ମ ମାମଲାରେ ଫସାଇବାକୁ ଝରାଫୁଲ ଧମକ ଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରାକେଶ ତାଙ୍କ ତଂଟି ଚିପି ଦେଇଥିଲା । ମାତ୍ର କେଇମିନିଟ ମଧ୍ୟରେ ସେ ନିସ୍ତେଜ ହୋଇଯାଇଥିଲା । ଝରାଫୁଲ ସଜ୍ଞା ହରାଇ ତଳେ ପଡିଯିବାରୁ ରାକେଶ ଭୟଭୀତ ହୋଇଯାଇଥିଲେ । ପରେ ରାକେଶ ତାର ସାଙ୍ଗ ଶେଖରକୁ ଫୋନ୍ କରି ଡାକିଥିଲା । ପରେ ଶେଖର ଓ ରାକେଶ ସ୍କୁଟିରେ ଝରାଫୁଲକୁ ବସାଇ କଟକ ମେଡିକାଲ୍ ନେଉଥିଲେ । ହେଲେ ରାସ୍ତାରେ ଝରାଫୁଲର ମୃତ୍ୟୁ ଘଟିଥିବା ଜଣାପଡିବା ପରେ ତାକୁ ଯାଜପୁର ନେଇ କୂଆଖିଆ ନିକଟରେ ଫିଙ୍ଗି ଦେଇଥିଲା । ପରେ ଦୁଇଜଣ ସୁନ୍ଦରପଦାକୁ ଫେରି ସ୍କୁଟିକୁ ଏକ ବୁଦାମୂଳେ ଲୁଚାଇ ଫେରାର ହୋଇଯାଇଥିଲେ । ସିସିଟିଭିରେ ସେମାନଙ୍କ ଫଟୋ ଥିବାରୁ ପୁଲିସ ହାତରେ ରାକେଶ ଧରାପଡିଯାଇଥିଲା । ପୁଲିସ ତା’ ବୟାନକୁ ଆଧାର କରି ସ୍କୁଟିକୁ ଜବତ କରିଛି । ଉକ୍ତ ସ୍କୁଟିଟି ରାକେଶ ସ୍ୱାଇଁଙ୍କର । ନୂଆ କରି କିଣିଥିବା ଉକ୍ତ ସ୍କୁଟିରେ ଝରାଫୁଲ ତାଙ୍କ ସହିତ ବୁଲାବୁଲି କରିଥିବା ପୁଲିସ ଜାଣିବାକୁ ପାଇଛି । ଗତକାଲି ଭୁବନେଶ୍ୱରରେ ସିନ୍ ରିକ୍ରିଏସନ୍ ବେଳେ ରାକେଶ ସ୍ୱାଇଁ ଏହି ସ୍କୁଟର ସଂପର୍କରେ ସୂଚନା ଦେଇଥିଲା ।

ଉଲ୍ଲେଖଥାଉ କି, ମୟୂରଭଞ୍ଜ ଜିଲ୍ଲାର ଝରାଫୁଲ ନାୟକ ତାଙ୍କ ଧରମବାପା ଚକ୍ରଧର ବେହେରାଙ୍କ ଝିଅର ଜନ୍ମ ଦିନ ଥିବାରୁ ଗତ ୨୫ ତାରିଖରେ ଭୁବନେଶ୍ୱର ଆସିଥିଲେ । ଜାନୁଆରୀ ୨୬ ତାରିଖରେ ପୂର୍ବାହ୍ନ ୧୧ଟା ବେଳେ ଜୟଦେବ ବିହାରରେ ଝରାଫୁଲଙ୍କୁ ଯଶିପୁର ଯାଉଥିବା ଝାଡେଶ୍ୱର ବସ୍‌ରେ ଚକ୍ରଧର ବସାଇଥିଲେ । କିନ୍ତୁ ଅସୁସ୍ଥ ଥିବା ଦର୍ଶାଇ ଝରାଫୁଲ ବାଣୀବିହାର ଷ୍ଟପେଜ୍‌ରୁ ଓହ୍ଲାଇ ଥିଲେ । ଝରାଫୁଲ ବସ୍‌ରେ ବସିବାର କିଛି ସମୟ ପରେ ବାପା ରମାକାନ୍ତ ଫୋନ୍ କରିଥିଲେ । ଝରାଫୁଲ ଫୋନ୍ ରିସିଭ୍ କରି ଦେହ ଅସୁସ୍ଥ ଲାଗିବାରୁ ସାଙ୍ଗ ସୋନାଲିଙ୍କ ଘରେ ଅଛି ବୋଲି କହିଥିଲେ । ଏମିତିକି ତାଙ୍କ ଭାଇ ମଧ୍ୟ ଝରାଫୁଲଙ୍କ ପାଖକୁ ବାରମ୍ବାର ଫୋନ୍ କରିଥିଲେ । ସେ ଫୋନ୍ ନ ଉଠାଇବାରୁ ହ୍ୱାଟସ୍‌ଆପ୍‌ରେ ମେସେଜ୍ କରିଥିଲେ । ରାକେଶ, ସୋନାଲୀ ନାଁରେ ମୋବାଇଲ୍‌ରେ ଚାଟିଂ କରିଥିଲେ ।
ବାଣୀବିହାର ଷ୍ଟପେଜରେ ବସରୁ ଓହ୍ଲାଇ ଚାଲି ଚାଲି ରୂପାଲି ଛକ ପର୍ଯ୍ୟନ୍ତ ଯାଇଥିଲେ । ସେଠାରୁ ଉଭୟ ସ୍କୁଟିରରେ ଭୁବନେଶ୍ୱରରେ ବୁଲାବୁଲି କରିବା ପରେ ଲିଙ୍ଗରାଜ ଥାନା ଅଂଚଳରେ ଥିବା ଏକ ରେଷ୍ଟୁରାଂଟରେ ବିରିୟାନୀ ଖାଇବାକୁ ଯାଇଥିଲେ । ସେଠାରେ ରାକେଶ ବିରିୟାନୀ ଖାଇଥିଲେ । କିନ୍ତୁ ପେଟ କାଟୁଥିବା କହି ଝରାଫୁଲ ବିରିୟାନୀ ଖାଇ ନଥିଲେ । ସନ୍ଧ୍ୟାରେ ଉଭୟ ଧର୍ମ ବିହାରରେ ଥିବା ଏକ ଗେଷ୍ଟ ହାଉସକୁ ଯାଇଥିଲେ । ସେଠାରେ ଉଭୟ ରାତ୍ର ଯାପନ କରିଥିଲେ । ତେବେ ବିଳମ୍ବିତ ରାତିରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ତେବେ ଘଟଣା ସମ୍ପର୍କରେ ପୁଲିସ ସ୍ପଷ୍ଟ ସୂଚନା ଦେବା ପରେ ଝରାଫୁଲ ମୃତ୍ୟୁ ରହସ୍ୟ ଜଣାପଡିବ ।