ପ୍ରଥମ ଇନିଂସ ପଛୁଆ ରହି ମଧ୍ୟ ଅଷ୍ଟ୍ରେଲିଆର ସହଜ ବିଜୟ-shaksi news

ଆଡିଲେଡ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ସହଜ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତକୁ ୮ ୱିକେଟରେ ପରାସ୍ତ କରି ୧-୦ରେ ଅଗ୍ରଣୀ ରହି ଟିମ ପେନଙ୍କ ଦଳ ବିଜୟୀ ହୋଇଛି । ମାତ୍ର ୯୦ ରନର ପିଛା କରୁଥିବା ଅଷ୍ଟ୍ରେଲିଆ ୨ ୱିକେଟ ହରାଇ ବିଜୟୀ ହୋଇଥିଲା । ଓପନର ଜୋ ବର୍ଣ୍ଣସ ଅପରାଜିତ ୫୧ ରନ କରି ଦଳକୁ ବିଜୟୀ କରାଇଥିଲେ ।

ତେବେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ ଇନିଂସରେ ୨୪୪ ରନ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ଅର୍ଧଶତକୀୟ ଇନିଂସ ସଂଗ୍ରହ କରିଥିଲେ । ଜବାବରେ ଅଷ୍ଟ୍ରେଲିଆ ୧୯୧ ରନରେ ଅଲଆଉଟ ହୋଇଥିଲା । ଅଧିନାୟକ ଟିମ ପେନ ସର୍ବାଧିକ ୭୩ ରନ ସଂଗ୍ରହ କରିଥିଲେ । ୫୩ ରନର ଅଗ୍ରଣୀ ହାସଲ କରିଥିବା ଭାରତ ମାତ୍ର ୩୬ ରନରେ ନିଜର ସମସ୍ତ ୱକେଟ ହରାଇ ଅଷ୍ଟ୍ରେଲିଆ ସମ୍ମୁଖରେ ୯୦ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଭାରତ ମାତ୍ର ୨୧.୨ ଓଭରରେ ଅଲଆଉଟ ହୋଇଥିଲା । ହାଜେଲଉଡ ୮ ରନରେ ୫ ୱିକେଟ ଅକ୍ତିଆର କରିଥିବା ବେଳେ ପ୍ୟାଟ କମିନ୍ସ ୨୧ ରନ ବିନିମୟରେ ୪ ୱିକେଟ ଅକ୍ତିଆର କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜୋ ବର୍ଣ୍ଣସ ୫୧ ଏବଂ ମାଥ୍ୟୁ ୱେଡ ୩୩ ପ୍ରଥମ ୱିକେଟରେ ୭୦ ରନ ଯୋଡି ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ ।ଏହାକୁ ନେଇ ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିବା ଟିମ ପେନଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

ସେପଟେ ମ୍ୟାଚରେ ମାତ୍ର ୩୬ ରନରେ ଅଲଆଉଟ ହୋଇ ଭାରତ ନିଜର ସର୍ବନିମ୍ନ ଟେଷ୍ଟ ସ୍କୋର ହାସଲ କରିଛି । ଦ୍ୱିତୀୟ ଥର ପାଇଁ ଦିବାରାତ୍ର ଟେଷ୍ଟରେ ପ୍ରଥମ ଇନିଂସ ପଛୁଆ ରହି ମଧ୍ୟ ଜିତିଛି ଅଷ୍ଟ୍ରେଲିଆ । ଆଜିର ପରାଜୟକୁ ମିଶାଇ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିପାକ୍ଷିକ ସିରିଜର ପ୍ରଥମ ମ୍ୟାଚରେ ୩୫ ଥର ପରାଜିତ ହୋଇଛି ଭାରତ ।