ଭାରତର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର

ଭୁବନେଶ୍ୱର(ଏସ୍ ନ୍ୟୁଜ): ଭୁବନେଶ୍ୱର ଭାରତର ସର୍ବାଧିକ ଉତ୍ତପ୍ତ ସହର ପାଲଟି ଯାଇଛି। ଗୁରୁବାର ଦେଶର ବିଭିନ୍ନ ସହରରେ ରହିଥିବା ସର୍ବାଧିକ ତାପମାତ୍ରା ମଧ୍ୟରେ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରହିଛି। ଯାହାକି ଦେଶର ଅନ୍ୟ ସମସ୍ତ ସହରର ସର୍ବାଧିକ ତାପମାତ୍ରାଠାରୁ ଆଗରେ। କେବଳ ଗୁରୁବାର ନୁହେଁ; ଗତ ବୁଧବାର ମଧ୍ୟ ସହରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ରହିବା ଦ୍ୱାରା ଦେଶର ସର୍ବୋଚ୍ଚ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଥିଲା। କ୍ରମାଗତ ଭାବେ ସର୍ବାଧିକ ତାପମାତ୍ରା ବଢିବା ଯୋଗୁଁ ଗତ ଦୁଇଦିନ ହେଲା ଭୁବନେଶ୍ୱର ଦେଶର ଉତ୍ତପ୍ତ ସହର ପାଲଟି ଯାଇଛି। ଫଳରେ ଆଜି ତାତି ଝାଞ୍ଜିରେ ରାଜଧାନୀ ଆଉଟୁପାଉଟୁ ହୋଇଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ। ସ୍ୱାଭାବିକ ଠାରୁ ପ୍ରାୟ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସର୍ବାଧିକ ତାପମାତ୍ରା ଆଗକୁ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।