ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର ସହ ଆଇନମନ୍ତ୍ରୀଙ୍କ ଗିରଫ ଦାବି କଲା ବିଜେପି

ଭୁବନେଶ୍ୱର,(ଏସ୍ ନ୍ୟୁଜ‌): ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରରୋଚନାରେ ଭାରତୀୟ ଜନତା ପାର୍ଟୀର ବରିଷ୍ଠ କାର୍ଯ୍ୟକର୍ତା ତଥା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଛି । ପଶ୍ଚିମବଙ୍ଗ ପରି ଓଡିଶାରେ ରାଜନୈତିକ ହିଂସା ଦେଖାଦେଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୁଦ୍ଧରେ ସ୍ୱର ଉତୋଳନ କଲେ ଯେପରି ବିଜେପି ନେତାଙ୍କୁ ହତ୍ୟା କରାଯାଉଛି, ଠିକ୍ ସେହିପରି ରାଜ୍ୟରେ ବିଜେଡିର ଦୁର୍ନୀତି ଭଷ୍ଟ୍ରାଚାର ବିରୁଦ୍ଧରେ ମୁହଁ ଖୋଲିଲେ ଶାସକ ଦଳ ନେତାଙ୍କ ନିର୍ଦ୍ଦେଶରେ ବିରୋଧୀଙ୍କୁ ହତ୍ୟା କରାଯାଉଛି । ଏହି ହତ୍ୟାକାଣ୍ଡରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ୧୪ ଜଣଙ୍କ ନାଁରେ ଏତଲା ଦିଆଯାଇଛି । କିନ୍ତୁ ପୋଲିସ ଶାସକ ଦଳ ଚାପରେ ଆଇନ ମନ୍ତ୍ରୀଙ୍କୁ ଗିରଫ କରିବା ତ ଦୂରର କଥା ତାଙ୍କୁ ତଦନ୍ତ ପରିସରଭୃକ୍ତ କରୁନାହିଁ । ଏଭଳି ଅଭିଯୋଗ କରି ବିଜେପି ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତୁରନ୍ତ ଗିରଫ କରିବା ସହ ମନ୍ତ୍ରୀମଣ୍ଡଳରୁ ବହିଷ୍କାର  ଦାବିରେ ବୁଧବାର ରାଜ୍ୟର ସମସ୍ତ ଜିଲ୍ଲା ଏସପି କାର୍ଯ୍ୟାଳୟ ଘେରାଓ କରିଛି ।
ବିଜେପି ନେତାଙ୍କୁ ଯେଉଁଭଳି ହତ୍ୟା କରାଗଲା, ତାହା ଅତ୍ୟନ୍ତ ଘୃଣ୍ୟ ଏବଂ ନିନ୍ଦନୀୟ । ଶାନ୍ତିପୂର୍ଣ୍ଣ ରାଜ୍ୟ ଓଡିଶାରେ ଏହିଭଳି ଘୃଣ୍ୟ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିରୋଧୀଙ୍କ କଣ୍ଠୋରୋଧ କରିବା ପାଇଁ ହତ୍ୟା ଭଳି ଘୃଣ୍ୟ କାର୍ଯ୍ୟକରିବାକୁ ମଧ୍ୟ ଶାସକ ବିଜେଡି ପଛାଉ ନାହିଁ । ନବୀନ ବାବୁଙ୍କ ନେତୃତ୍ୱରେ ପରିଚାଳିତ ରାଜ୍ୟସରକାର ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଠିକ୍ ଢଙ୍ଗରେ ପରିଚାଳନା କରିବାରେ ବିଫଳ ହେବା କାରଣର ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦିଆଯାଉ ବୋଲି କହି ମିଛଠାରେ ବାଃ ବାଃ ନେବାର ଅପଚେଷ୍ଟା କରୁଥିବା ମୁଖ୍ୟମନ୍ତ୍ରୀ ବର୍ତମାନ ହିଂସାକୁ ପ୍ରଶୟ ଦେବା ସହ ରାଜନୈତିକ ହତ୍ୟା ଭଳି ଘୃଣ୍ୟ କାର୍ଯ୍ୟକରିବାକୁ ମଧ୍ୟ ପ୍ରଶ୍ରୟ ଦେଉଛନ୍ତି ।
ମାହାଙ୍ଗା ଡବଲ ମର୍ଡର ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ବିଜେପି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ । ଗତକାଲି ବିଜେପି ରାଜ୍ୟର ସମସ୍ତ ଥାନା ଘୋରାଓ କରିଥିବାବେଳେ ଆଜି ଏସପି ଏଫିସ ଘେରାଓ କରାଯାଇଛି ଏବଂ
ଅ।।ସନ୍ତା ୮ ତାରିଖ ଦିନ ଡିଜି ଅଫିସ ଘେରାଓ କରାଯିବ । ଅଭିଯୁକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତୁରନ୍ତ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ନଚେତ, ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରିବାକୁ ବିଜେପି ଦାବି କରିଛି । ଆଜି ଖୋର୍ଦ୍ଧା, କଟକ, ବରଗଡ, ଅନୁଗୁଳ, ଢେଙ୍କାନାଳ, ନୂଆପଡା, ଝାରସୁଗୁଡା, କେନ୍ଦ୍ରାପଡା, ଜଗତସିଂହପୁର, ଗଂଜାମ, ଗଜପତି, ବାରିପଦା, ଭଦ୍ରକ, ବାଲେଶ୍ୱର, ବଲାଙ୍ଗୀର ସମେତ ରାଜ୍ୟର ସମସ୍ତ ଜିଲ୍ଲାର ଏସପି କାର୍ଯ୍ୟାଳୟ ଘେରାଓ କରାଯାଇଥିଲା ।