ଅର୍ଣ୍ଣବ ଗୋସ୍ୱାମୀଙ୍କ ସମର୍ଥନରେ ବଲିଉଡ୍ ଗାୟିକା ସୋନା ମହାପାତ୍ର

ମୁମ୍ବାଇ : ରିପବ୍ଲିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫକୁ ନେଇ ବଲିଉଡ୍ ଗାୟିକା ସୋନା ମହାପାତ୍ର ଅର୍ଣ୍ଣବଙ୍କୁ ସମର୍ଥନ କରିଛନ୍ତି । ଅର୍ଣ୍ଣବଙ୍କୁ ସମର୍ଥନ କରି ତାଙ୍କୁ ଜେଲରେ ରଖିଥିବା ଘଟଣାକୁ ସୋନା ବିରୋଧ କରିଛନ୍ତି। ୨୦୧୮ ମସିହାର ଏକ ଆତ୍ମହତ୍ୟା ମାମଲାରେ ଗିରଫ ହୋଇ ଅର୍ଣ୍ଣବ ଏବେ ଜେଲରେ ଅଛନ୍ତି ।

ସୋନା ମହାପାତ୍ର ଟ୍ୱିଟ୍ କରି କହିଛନ୍ତି ଯେ, ଯେଉଁମାନେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ମିଳିନଥିବାରୁ ସମର୍ଥନ କରୁଛନ୍ତି ଓ ତାଙ୍କୁ ଜେଲରେ ରଖିଥିବାରୁ ମଜା ନେଉଛନ୍ତି, ଯେଉଁ ଜେଲରେ ଆତଙ୍କବାଦୀ ଓ ଅଣ୍ଡରୱାର୍ଲଡର ଗୁଣ୍ଡାମାନେ ଅଛନ୍ତି, ସେମାନେ ଫାସିବାଦ ଠାରୁ କମ ନୁହନ୍ତି। ଆପଣମାନେ ରାଜନୈତିକ ନିଆଁରେ ଘିଅ ଢାଳୁଛନ୍ତି। ଏହା ରୋଗୀଣା ମାନସିକତା। ଦୁଇଟି ଭୁଲ କଥାକୁ ମିଶାଇ ଠିକ କରାଯାଇ ପାରିବନାହିଁ। ସୋନା ମହାପାତ୍ରଙ୍କ ଏହି ଟ୍ୱିଟକୁ ଅନେକ ଲୋକ ସମର୍ଥନ କରିଥିବେଳେ କିଛି ଲୋକ ବିରୋଧ ମଧ୍ୟ କରିଛନ୍ତି। ଅର୍ଣ୍ଣବ ବର୍ତ୍ତମାନ ମୁମ୍ବାଇ ବାହାରେ ଥିବା ତଲୋଜା ଜେଲରେ ଅଛନ୍ତି। ଅନ୍ୟପଟେ ବମ୍ବେ ହାଇକୋର୍ଟ ଅର୍ଣ୍ଣବ ଗୋସ୍ୱାମୀଙ୍କ ଅନ୍ତରୀଣ ଜାମିନ ଖାରଜ କରିଥିବା ବେଳେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।