ଖୁବ୍‌ ଶୀଘ୍ର ବଦଳିବ ଝିଅଙ୍କ ସର୍ବନିମ୍ନ ବିବାହ ବୟସ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଝିଅଙ୍କ ସର୍ବନିମ୍ନ ଆଇନସମ୍ମତ ବିବାହ ବୟସ ସଂଶୋଧନ କରିବେ । ଆଉ ଉପଯୁକ୍ତ ବୟସ କଣ ରହିବ ସେ ସମ୍ପର୍କରେ ଖୁବ୍‌ ଶୀଘ୍ର ସରକାର ନିଷ୍ପତ୍ତି ନେବେ। ସମ୍ପ୍ରତି ଏହା ୧୮ ଥିବାବେଳେ ଏହାକୁ ବୃଦ୍ଧି କରାଯିବା ଯୋଜନା ରହିଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସୂଚନା ଦେଇଛନ୍ତି। ଆଉଥରେ ବୟସ ଧାର୍ଯ୍ୟ ନିମନ୍ତେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି ଏବଂ ଏହାର ରିପୋର୍ଟ ମିଳିବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ନିଷ୍ପତିକୁ ନେଇ ମୋଦୀ କହିଛନ୍ତି, ଦେଶର ଝିଅମାନେ ତାଙ୍କୁ ଏହି ପ୍ରସଙ୍ଗରେ ଚିଠି ଲେଖିଛନ୍ତି। ‌କମିଟି କାହିଁକି ଏଯାବତ୍‌ ନିଷ୍ପତ୍ତି ଶୁଣାଇନାହାନ୍ତି ତାହା ସେମାନେ ଜାଣିବାକୁ ଚାହିଛନ୍ତି। କିନ୍ତୁ ମୋଦୀ ଏହା ନିଶ୍ଚିତ କରାଇ କହିଛନ୍ତି ଯେ, ରିପୋର୍ଟ ଆସିବା କ୍ଷଣି ସରକାର ଏଦିଗରେ ତୁରନ୍ତ କାର୍ଯ୍ୟ କରିବେ।

ସୂଚନାଯୋଗ୍ୟ ଯେ ସ୍ବାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଝିଅମାନଙ୍କ ବିବାହ ବୟସ ସଂଶୋଧନ ସଂକ୍ରାନ୍ତରେ ସରକାର ବିଚାରବିମର୍ଷ କରୁଥିବା ଓ ଏଥିନିମନ୍ତେ ଏକ ଟାସ୍କଫୋର୍ସ ଗଠନ କରାଯାଇଥିବା କହିଥିଲେ। ବିବାହ ବୟସ ବୃଦ୍ଧି ସ୍ବାସ୍ଥ୍ୟଗତ କାରଣରୁ ଏବଂ ମାତୃ-ଶିଶୁ ମୃତ୍ୟୁହାର ନିୟନ୍ତ୍ରଣ ପାଇଁ ଆବଶ୍ୟକ ବୋଲି ସେ କହିଥିଲେ। ଏଥିସହିତ ମାତୃତ୍ବ ପାଇଁ ବୟସ ଧାର୍ୟ୍ୟ ନିମନ୍ତେ ମଧ୍ୟ ଏହି ଟାସ୍କଫୋର୍ସ ବିଚାରବିମର୍ଶ କରୁଥିବା କହିଥିଲେ । ରାଜ୍ୟସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଏ ସମ୍ପର୍କରେ ପ୍ରକାଶ କରିଥିଲେ।

ଅପରପକ୍ଷରେ ପୁଅମାନଙ୍କ ନିମନ୍ତେ ସମ୍ପ୍ରତି ସର୍ବନିମ୍ନ ବିବାହ ବୟସ ୨୧ ରହିଛି।