ବାସବରାଜ ବୋମ୍ମାଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

କର୍ଣ୍ଣାଟକ : ବିଜେପି ନେତା ବାସଭରାଜ ବୋମାଇ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ୟେଦ୍ୟୁରପ୍ପାଙ୍କ ଉତ୍ତରାଧିକାରୀ ଭାବରେ ସେ ଆଜି ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଥାୱର ଚାନ୍ଦ ଗେହଲୋଟ ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ବେଳେ ଉପସ୍ଥିତ ଥିବା ବିଏସ ୟେଦ୍ୟୁରପ୍ପାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ବୋମାଇ ଏବେ ହାବେରି ଜିଲ୍ଲାର ଶିଗାଓଁର ବିଧାୟକ । ଜନତା ଦଳରୁ ସେ ରାଜନୀତି ଆରମ୍ଭ କରିଥିଲେ । ୧୯୯୮ରେ ସେ ପ୍ରଥମ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ୨୦୦୮ରେ ବିଜେପିରେ ସାମିଲ ହୋଇଥିଲେ ଏହି ନେତା । କର୍ଣ୍ଣାଟକ ରାଜନୀତିରେ ଜଣା ନମ୍ର ଓ ଭଦ୍ର ନେତା ଭାବରେ ନିଜର ପରିଚୟ ରଖିଛନ୍ତି ଏହି ନେତା । ୟେଦ୍ୟୁରପ୍ପା ସରକାରରେ ସେ ଦୁଇଥର ମନ୍ତ୍ରୀ ହୋଇଥିଲେ । ଗତକାଲି ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ୟେଦ୍ୟୁରପ୍ପା ତାଙ୍କୁ ଉତ୍ତରାଧିକାରୀ ଭାବରେ ମନୋନୀତ କରିବା ପରେ ସେ ରାଜ୍ୟର ୨୩ ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ବାସଭରାଜ ବୋମାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଆର ବୋମାଇଙ୍କ ପୁଅ ।