ପରୀ ହତ୍ୟାର କ୍ରାଇମବ୍ରାଞ୍ଚ ତଦନ୍ତ: ଦିବ୍ୟଶଙ୍କର

ଭୁବନେଶ୍ବର( ଏସ୍ ନ୍ଯୁଜ ): ନୟାଗଡ଼ ପରୀ ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ।ଏହି ହତ୍ୟା ଘଟଣାର ତଦନ୍ତ ପାଇଁ ମନ୍ତ୍ରୀ ଆଜି ବିଧାନସଭାରେ ବିବୃତି ରଖିଛନ୍ତି । ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।

ଏହି ମାମଲାର ଏଯାବତ ୩୪ ଜଣଙ୍କୁ ଜେରା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ସେହିପରି ୪ ଜଣଙ୍କର ପଲିଗ୍ରାଫ ଟେଷ୍ଟ ହୋଇଥିବା ଗୃହକୁ ଜଣାଇବା ସହ ନୟାଗଡ଼ ଏସଡିପିଓ ମାମଲାର ତଦାରଖ କରୁଥିବା ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ।

ସୂଚନା ଥାଉକି, ୫ ବର୍ଷୀୟା ଝିଅର ମୃତ୍ୟୁ ପରେ ନ୍ୟାୟ ପାଇଁ ବାର ଦୁଆର ବୁଲି ନିରାଶ ହେବାରୁ ଗଣତନ୍ତ୍ରର ମନ୍ଦିର ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଏମାନେ ହେଉଛନ୍ତି ନୟାଗଡରେ ମୃତ ନାବାଳିକା ପରୀର ବାପା, ମାଆ ଅଶୋକ ସାହୁ ଓ ସୌଦାମିନୀ ସାହୁ ।ଏମାନଙ୍କ ଅଭିଯୋଗ, ନାବାଳିକା ଝିଅକୁ ମାରି ତାର ଆଖି ଓ କିଡନୀ ତାଡି ନିଆଗଲା । ନ୍ୟାୟ ମାଗିବାରୁ ସେମାନଙ୍କୁ ଗାଁରୁ ବିଦା କରାଯାଉଛି । ତେବେ ସବୁଠାରୁ ବଡକଥା ହେଉଛି ଝିଅର ହତ୍ୟା ପାଇଁ ସେମାନେ ନୟାଗଡ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କୁ ଦାୟୀ କରିଥିଲେ । ମନ୍ତ୍ରୀଙ୍କ ପାଖ ଲୋକମାନେ ଝିଅକୁ ହତ୍ୟା କରିଥିବାବେଳେ ମନ୍ତ୍ରୀ କିଛି କରୁ ନାହାନ୍ତି ବରଂ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ସଂଗୀନ ଅଭିଯୋଗ ଆଣିଥିଲେ ।