ଅହଙ୍କାରୀଙ୍କର ସଦବୁଦ୍ଧି ଉଦୟ ହେଉ: ଧର୍ମେନ୍ଦ୍ର


ଭୁବନେଶ୍ୱର (ଏସ ନ୍ୟୁଜ): ବାଲେଶ୍ୱର ଉପନିର୍ବାଚନ ପାଇଁ ଆଜି ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରୁପସାର ଦଲଦଲି ପଡିଆ ସଭାରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ସଭାରେ ପ୍ରଜାତନ୍ତ୍ରରେ କାହାର ଅହଂକାର ରହିବନାହିଁ ବୋଲି ବିଜେଡ଼ିକୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ମନ୍ତବ୍ୟକୁ ଏଭଳି କହିଥିବା ବେଳେ ସେହି ଅହଙ୍କାରୀଙ୍କର ସଦବୁଦ୍ଧି ଉଦୟ ହେଉ, ଆଉ ସେ ଲୋକଙ୍କ ଅସମୟରେ ଠିଆ ହୁଅନ୍ତୁ ବୋଲି କହିଛନ୍ତି।

ସେ ଆହୁରି କହିଛନ୍ତି ଯେ,କାହାର ମରିବା କାହା ପାଇଁ ସୁଯୋଗ କହିବା ଠିକ୍ ନୁହେଁ । ବାଲେଶ୍ୱର ବିକାଶ କରିବା ଆମ ପାଇଁ ମୂଳ ପ୍ରସଙ୍ଗ । ଯାହା ହାତରେ ସୁଯୋଗ ନାହିଁ, ସେମାନେ ନିର୍ବାଚନକୁ ସୁଯୋଗ ଭାବନ୍ତି । ଶାଢୀ ଓ ପଇସା ଦେଇ ପ୍ରଲୋଭିତ କରାଯାଉଛି । ସ୍ୱୟଂ ସହାୟିକା ଭଉଣୀମାନଙ୍କୁ ମୁଣ୍ଡପିଛା ୨ଶହ ଟଙ୍କା ଦେଉଥିବା ଆଲୋଚନା ହେଉଛି। ଯଦି ଲୋକଙ୍କୁ ଦେବା କଥା, କରୋନା ବେଳେ କାହିଁକି ଦେଲ ନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି ଧର୍ମେନ୍ଦ୍ର।

ଏପରିକି କରୋନା ବେଳେ ୨୨ ହଜାର କୋଟି ଟଙ୍କା କେନ୍ଦ୍ର ଦେଇଛି । ବାଲେଶ୍ୱର ସଦରର ବେକାର ଯୁବକ ବାହାରକୁ ଯାଉଛନ୍ତି । ୨୦ ବର୍ଷ ଶାସନ ପରେ ବି ସରକାର କାମ ଯୋଗାଇବାରେ ବିଫଳ ହୋଇଛନ୍ତି । ମୋଦୀ ଟଙ୍କା ଦେଉଛନ୍ତି, ମାତ୍ର ଏହାର ବିନିଯୋଗ ହେଉନି । ରାଜ୍ୟରେ ଚାଲିଛି ଏକ ସମ୍ବେଦନହୀନ ସରକାର । ବାଲେଶ୍ୱରରେ ଏୟାରପୋର୍ଟ ହେବା ଉଚିତ୍ କି ନୁହେଁ? ଏଭଳି କିଛି ପ୍ରଶ୍ନ କରି ବାଲେଶ୍ୱରକୁ ଅର୍ଥନୈତିକ ପେଣ୍ଠସ୍ଥଳୀ କରିବା ଆମର ଦାୟିତ୍ୱ ।

ସେହିପରି ବାଲେଶ୍ୱର ଉପ ନିର୍ବାଚନ ପ୍ରଚାର ବେଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ମନ୍ତବ୍ୟକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ରଣେନ୍ଦ୍ରଙ୍କ ମନ୍ତବ୍ୟକୁ ବାଲେଶ୍ୱରବାସୀଙ୍କ ପ୍ରତି ଅପମାନ ବୋଲି କହିଛନ୍ତି । ରଣେନ୍ଦ୍ରଙ୍କ ବୟାନ ଅସଭ୍ୟ ଓ ସମ୍ବେଦନହୀନତାର ପରିଚୟ । ନିଜ ବକ୍ତବ୍ୟର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ଏହାକୁ ବିଜେଡିର ଆଭିମୁଖ୍ୟ ବୋଲି କହିବା ବିଜେଡିର ସମ୍ବେଦନହୀନତାକୁ ଦର୍ଶାଉଥିବା ଟ୍ୱିଟ୍ କରିଛନ୍ତି ପ୍ରଦୀପ୍ତ । ସମଗ୍ର ବିଜେଡି ଏପରି ସମ୍ବେଦନହୀନତା ଓ ଅଶିଷ୍ଟତାର ପୃଷ୍ଠପୋଷକ କି ବୋଲି ବିଜେପି ପ୍ରସନ୍ନ କରିଛି ।ଏଭଳି ଦଳକୁ ଉଚିତ୍ ଜବାବ ଦେବାକୁ ମାନସ ଦତ୍ତଙ୍କୁ ଜିତାଇବାକୁ ନିବେଦନ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।

ଅନ୍ୟପକ୍ଷରେ ଏହି ଆରୋପର ଜବାବ ରଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ସେ କହିଛନ୍ତି, ଯଦି କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଆମେ ଏପରି କରୁଥିବାର ପ୍ରମାଣ ରହିଛି ତେବେ ସେ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରନ୍ତୁ। ଏଥିସହ ସେ କହିଛନ୍ତି ଯେ ଓଡ଼ିଶାର ବିକାଶ କେବଳ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବାଧୀନ ସରକାର ଦ୍ବାରା ହିଁ ସମ୍ଭବ। ଏଥର ବାଲେଶ୍ବରବାସୀ ବିଜେଡିକୁ ଆଶୀର୍ବାଦ କରିବେ ବୋଲି ବିଶ୍ବାସ। ଆମ ଦଳର ପ୍ରାର୍ଥୀ ବିଜୟୀ ହେବେ।  ଲୋକେ ମନସ୍ଥିର କରିସାରିଛନ୍ତି, ଏଥର ବିଜେଡିକୁ ହିଁ ଭୋଟ ଦେବେ।


ସୂଚନାଯୋଗ୍ୟ, ତିନି ଦିନ ତଳେ ବାଲେଶ୍ୱରରେ ପ୍ରଚାର ବେଳେ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ, ବିଜେପିର ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ଏକ ସୁଯୋଗ ଆଣିଦେଇଛି ବୋଲି ମନ୍ତବ୍ୟ ଦେଇଥିବା ଅଭିଯୋଗ ଆଣିଛି ବିଜେପି । ତେବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି କୌଣସି ଉଦ୍ଦେଶ୍ୟମୂଳକ ଭାବେ କିମ୍ବା କାହାର ଭାବନାକୁ ଆଘାତ ଦେବା ପାଇଁ ଏଭଳି କହିନଥିଲେ । ସ୍ୱର୍ଗତ ମଦନ ମୋହନଙ୍କ ପ୍ରତି ତାଙ୍କ ସମ୍ମାନ ଓ ଶ୍ରଦ୍ଧା ରହିଛି । ମାନସ ଦତ୍ତ ମୋ ପୁଅ ଭଳି, ତାଙ୍କୁ ଯଦି ଏଭଳି ମନ୍ତବ୍ୟ ଆଘାତ ଦେଇଛି, ତାହେଲେ ଏଥିପାଇଁ ଗଭୀର ଦୁଃଖିତ ବୋଲି ଟ୍ୱିଟ୍ କରିଥିଲେ ।