ଦିଲୀପ ରାୟଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର( ଏସ ନ୍ୟୁଜ): କୋଇଲା ଦୁର୍ନୀତିରେ ଦଣ୍ଡିତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ମିଳିଲା ଜାମିନ୍‌। ଜଣେ ଜାମିନଦାର ଓ ୧ ଲକ୍ଷ ଟଙ୍କା ବେଲ୍‌ବଣ୍ଡରେ ତାଙ୍କୁ ଜାମିନ ମିଳିଛି। ଦିଲୀପଙ୍କ ସହ ଅନ୍ୟ ୨ ଦୋଷୀଙ୍କୁ ମଧ୍ୟ ମିଳିଛି ଜାମିନ। ଜାମିନ ପରେ ଦିଲୀପ ରାୟଙ୍କୁ ବଡ଼ ଆଶ୍ବସ୍ତି ମିଳିଛି।

୧୯୯୯ ମସିହାରେ ଝାଡ଼ଖଣ୍ଡର ଗିରିଡିହ ଖଣି ଆବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଦିଲୀପ ଓ ସେତେବେଳେ କୋଇଲା ମନ୍ତ୍ରାଳୟରେ ଥିବା ଦୁଇ ବରିଷ୍ଠ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ସ୍ୱତନ୍ତ୍ର କୋର୍ଟ। ଦିଲୀପଙ୍କୁ ୩ ବର୍ଷ ଜେଲ୍‌ ସହ ୧୦ ଲକ୍ଷ ଜୋରିମାନା କରିଥିଲେ କୋର୍ଟ।

ଏଥିସହ ଅନ୍ୟ ୨ ଅଧିକାରୀଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଓ ୧୦ ଲକ୍ଷ ଲେଖାଏଁ ଜୋରିମାନା ହୋଇଥିଲା। ସେହିପରି ଏହି ମାମଲାରେ CTLକୁ ୬୦ ଲକ୍ଷ ଓ CMLକୁ ୧୦ ଲକ୍ଷ ଟଙ୍କା ଜୋରିମାନା କରିଥିଲେ କୋର୍ଟ। ସେତେବେଳେ ଏନଡିଏ ସରକାରରେ ଦିଲୀପ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସେତେବେଳେ ଏନଡିଏର ଅଂଶୀଦାର ଥିଲା। ଦିଲୀପ ବିଜେଡିରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ କରୁଥିଲେ।