ଇଂଲଣ୍ଡ ଯିବେ ପୃଥ୍ୱୀ ଶ ଏବଂ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ : ଖୁବଶୀଘ୍ର ପୃଥ୍ୱୀ ଶ ଓ ସୂର୍ଯ୍ୟକୁମାର ଯାଦବ ଇଂଲଣ୍ଡ ଗସ୍ତରେ ଭାରତୀୟ ଟିମ୍‌ରେ ସାମିଲ ହେବାକୁ ପ୍ରସ୍ତୁତ । ପ୍ରଥମ ଥର ଟେଷ୍ଟ ଖେଳିବାକୁ ସୂର୍ଯ୍ୟକୁମାରଙ୍କୁ ଡାକରା ମିଳିଛି । ଏହି ଦୁଇ ଖେଳାଳି ସବଷ୍ଟିଚ୍ୟୁଟ ଖେଳାଳି ଭାବେ ଇଂଲଣ୍ଡ ଗସ୍ତ କରିବେ । ୩ ଜଣ ଖେଳାଳି ଆହତ ହୋଇଥିବା ବେଳେ ଟିମ ମ୍ୟାନେଜମେଣ୍ଟ ତାଙ୍କ ସ୍ଥାନରେ ଖେଳିବାକୁ ଖେଳାଳିଙ୍କୁ ପଠାଇବା ପାଇଁ କହିଥିଲା । ଶୁଭମନ ଗିଲ, ୱାଶିଂଟନ ସୁନ୍ଦର ଏବଂ ଆବେଶ ଖାନ ଆହତ ଯୋଗୁ ସେମାନେ ଦଳରୁ ବାହାରେ ଅଛନ୍ତି । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଏନେଇ କହିଛନ୍ତି । ସେ କହିଛନ୍ତି, ‘ହଁ ପୃଥ୍ୱୀ ଏବଂ ସୂର୍ଯ୍ୟକୁମାର ଶ୍ରଲଙ୍କାରୁ ବ୍ରିଟେନ ଯାଉଛନ୍ତି । ଜୟନ୍ତଙ୍କୁ ମଧ୍ୟ ଯିବାର ଥିଲା କିନ୍ତୁ କ୍ୱାରେଣ୍ଟାଇନ୍‌ ଆବଶ୍ୟକତା ଯୋଗୁଁ ଯୋଜନାରେ କିଛି ପରିବର୍ତ୍ତନ ହୋଇଛି । ଜୟନ୍ତ ଏବେ ଯିବେ ନାହିଁ । ଦୁଇ ଖେଳାଳି କଲମ୍ବୋରୁ ଲଣ୍ଡନ ବବଲ୍‌ରୁ ବବଲ ଯିବେ । ଏମାନେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ମଧ୍ୟରେ ଯିବେ କିମ୍ବା ଏହା ପରେ, ଏହା ଧାର୍ଯ୍ୟ କରାଯିବ ।