ପୋଲିସ ଏନକାଉଣ୍ଟରରେ ଗାଙ୍ଗଷ୍ଟର ହାଇଦରର ମୃତ୍ୟୁ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ପୋଲିସ ଏନକାଉଣ୍ଟରରେ ଗାଙ୍ଗଷ୍ଟର ହାଇଦରର ମୃତ୍ୟୁ ହୋଇଛି । ଉପକୂଳ ଓଡ଼ିଶାର ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର ସେକ ହାଇଦରକୁ ପୋଲିସ ଏନକାଉଂଟର କରିଛି । ଏନକାଉଣ୍ଟରରେ ହାଇଦର ଦେହରେ ତିନି ରାଉଣ୍ଡ ଗୁଳି ବାଜିଥିଲା । ଚୌଦ୍ୱାର ଜେଲରୁ ମୟୂରଭଂଜ ଜିଲ୍ଲା ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ଏନକାଉଂଟର କରାଯାଇଛି । ପରିଶ୍ରା କରିବା ବାହାନାରେ ହାଇଦର ଦୌଡି ପଳାଉଥିଲା ବଳେ ପୋଲିସ ଗୁଳି ମାଡ କରିଥିଲା । ଗୁରୁତର ଅବସ୍ଥାରେ ହାଇଦରକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପରେ ହାଇଦରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

କଟକ ଡିସିପି ପ୍ରତୀକ ସିଂହ ଗଣମାଧ୍ୟମକୁଚହିଛନ୍ତି, ହାଇଦରକୁ ଆଜି ଚୌଦ୍ୱାର ଜେଲରୁ ବାରିପଦା ଜେଲ୍କୁ ଏକ୍ସକର୍ଟ କରାଯାଉଥିବା ସମୟରେ ହାଇଦର୍‌ ପରିସ୍ରା କରିବା ବାହାନାରେ ପୋଲିସ୍‌ ବସ୍‌ରୁ ଖସିବାକୁ ଉଦ୍ୟମ କରିବାକୁ ଚେଷ୍ଟା କରିବା ସହ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି । ଏହି ସମୟରେ ଜଣେ ପୋଲିସ ତାଙ୍କୁ ଗୁଳି କରିଥିଲେ । ଏଥିରେ ହାଇଦର୍‌ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଉଲ୍ଲେଖଥାଉ କି, କୁଖ୍ୟାତ ଅପରାଧୀ ହାଇଦର ଗତ ଏପ୍ରିଲ ୧୦ତାରିଖରେ କଟକ ବଡମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ୱାସ୍ଥ୍ୟକର୍ମୀ ଏବଂ ପୁଲିସକୁ ଚକମା ଦେଖାଇ ଖସି ପଳାଇଥିଲା । ହାଇଦର ଫେରାର ହୋଇଯିବା ପରେ ଓଡିଶା ପୁଲିସର ନିଦ ହଜିଯାଇଥିଲା । ହାଇଦରକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । କିଛି ଟିମ୍ କଟକରେ ଏବଂ ଅନ୍ୟ କିଛି ଟିମ୍ ରାଜ୍ୟର ଅନ୍ୟସ୍ଥାନରେ ନିୟୋଜିତ ହୋଇଥିଲେ । ଏଥି ସହିତ ହାଇଦରକୁ ଧରିବା ପାଇଁ ରାଜ୍ୟ ବାହାରେ ମଧ୍ୟ ସ୍ୱତନ୍ତ୍ର ଟିମ୍ କାମ କରୁଥିଲା । ଶେଷରେ ହାଇଦରକୁ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ ଧରାଯାଇଥିଲା ।