ରାଉରକେଲା ଷ୍ଟିଲ ପ୍ଲାଣ୍ଟ ବା ଆରଏସପିରେ ଗ୍ୟାସ୍ ଲିକ୍ ଯୋଗୁଁ ୪ ଠିକା କର୍ମଚାରୀଙ୍କ ମୃତ୍ୟୁ

ଭୁବନେଶ୍ୱର,(ଏସ୍ ନ୍ୟୁଜ ) : ରାଉରକେଲା ଷ୍ଟିଲ ପ୍ଲାଣ୍ଟ ବା ଆରଏସପିରେ ଏକ ବଡ଼ଧରଣର ଅଘଟଣ ଘଟିଛି। ପ୍ଲାଣ୍ଟର କୋଲ୍ କେମିକାଲ୍ ଡିପାର୍ଟମେଣ୍ଟରେ ଗ୍ୟାସ୍ ଲିକ୍ ଯୋଗୁଁ ୪ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଅସୁସ୍ଥ ହୋଇଛନ୍ତି। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ନିର୍ଦେଶ ଦିଆଯାଇଛି।
ସୂଚନା ଅନୁସାରେ, ବୁଧବାର ସକାଳ ପ୍ରାୟ ୯ଟା ବେଳେ ଆରଏସପିର କୋଲ୍ କେମିକାଲ୍ ଡିପାର୍ଟମେଣ୍ଟରେ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ହଠାତ ଗ୍ୟାସ୍ ଲିକ୍ ହୋଇଥିଲା। ଫଳରେ ସେଠାରେ କାର୍ଯ୍ୟରତ ଶ୍ରମିକମାନେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ।
ଖବରପାଇ ପ୍ଲାଣ୍ଟର ଅଗ୍ନିଶମ କର୍ମଚାରୀ ପହଞ୍ଚି ଅସୁସ୍ଥ ୧୦ ଜଣଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ପ୍ରଥମେ ପ୍ଲାଣ୍ଟରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେଉଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୬ ଜଣ ଏବେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।
ଏହି ଘଟଣା ପରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ପ୍ଲାଣ୍ଟ ମଧ୍ୟରେ ନିରାପତ୍ତା ବ୍ୟବସ୍ଥାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ସହ ମୃତ ଠିକା ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ଥଇଥାନ କରିବାକୁ ସଂଗଠନ ପକ୍ଷରୁ ଦାବି ହୋଇଛି। ଘଟଣାର ଗୁରୁତ୍ବକୁ ଦେଖି ସରକାର ଫ୍ୟାକ୍ଟ୍ରି ଆଣ୍ଡ ବ୍ଲଏଲର ନିର୍ଦେଶକଙ୍କୁ କୁହାଯାଇଛି। ଏଥିସହିତ ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦେବାକୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ମଧ୍ୟ କୋଲ୍ କେମିକାଲ୍ ଡିପାର୍ଟମେଣ୍ଟରେ ଅଘଟଣ ଘଟି ବହୁ ଜୀବନହାନୀ ହୋଇଥିଲା। ଏସବୁ ସ୍ୱତେ ପ୍ଲାଣ୍ଟ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେଉ ନ ଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।