ମେଲବର୍ଣ୍ଣରେ ଭାରତର ମହାବିଜୟ

ମେଲବର୍ଣ୍ଣ: “ବରାବର ହିସାବ କଲା ଟିମ୍ ଇଣ୍ଡିଆ …..!”ଆଜିଙ୍କ୍ୟ ରାହାଣେଙ୍କ କ୍ୟାପଟେନ୍ସିରେ ଟିମ୍ ଇଣ୍ଡିଆ ଦମ୍ ଦେଖାଇଛି ଏବଂ ବକ୍ସିଂ ଡେ’ ଟେଷ୍ଟରେ କଙ୍ଗାରୁ ଟିମକୁ ଧୂଳି ଚଟାଇଛି।

ଆଡିଲେଡରେ ଲଜ୍ଜାଜନକ ପରାଜୟ ପରେ ମେଲବର୍ଣ୍ଣରେ ଟିମ୍ ଇଣ୍ଡିଆ ମାଟି କାମୁଡ଼ିବ ବୋଲି କହିଥିଲେ ଅଷ୍ଟ୍ରେଲିଆନ୍ ଗ୍ରେଟ୍ ଶେନ୍ ୱାର୍ଣ୍ଣ। କିନ୍ତୁ ଏହାର ଠିକ୍ ଓଲଟା ହୋଇଛି।
ଜବରଦସ୍ତ ବୋଲିଂ ସାଙ୍ଗକୁ ରାହାଣେଙ୍କ କ୍ୟାପଟେନ୍ସି ଇନିଂସ୍ ବଳରେ ଟିମ୍ ଇଣ୍ଡିଆ ଏହି ଐତିହାସିକ ଟେଷ୍ଟରେ ୮ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇ ହିସାବ ବରାବର କରିଛି। ଏହି ବିଜୟ ସହ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୧ରେ ବରାବର ହୋଇଛି। ସିରିଜରେ ଆହୁରି ଦୁଇଟି ମ୍ୟାଚ୍ ବାକି ରହିଛି।

ଏହି ଟେଷ୍ଟରେ ଅଷ୍ଟ୍ରେଲିଆ ୨ୟ ଇନିଂସରେ ୨୦୦ ରନରେ ଅଲଆଉଟ୍ ହୋଇ ଭାରତକୁ ୭୦ ରନର ଟାର୍ଗେଟ୍ ଦେଇଥିଲା। ଏହି ଛୋଟିଆ ଲକ୍ଷ୍ୟକୁ ପିଛା କରିବା ପାଇଁ ଭାରତକୁ ଆଦୌ କଷ୍ଟ କରିବାକୁ ପଡ଼ିନଥିଲା। ଭାରତ ୧୫.୫ ଓଭରରେ ୨ ୱିକେଟ୍ ହରାଇ ଏହି ୭୦ ରନ୍ କରି ବିଜୟୀ ହୋଇଛି। ଭାରତ ଆରମ୍ଭରୁ ଓପ୍ନର ମୟଙ୍କ ଅଗ୍ରୱାଲ୍ ଓ ଚେତେଶ୍ୱର ପୂଜାରାଙ୍କ ୱିକେଟ୍ ହରାଇଥିଲା। କିନ୍ତୁ ଡେବ୍ୟୁଟାଣ୍ଟ ଶୁବମନ୍ ଗିଲ୍ ଓ କ୍ୟାପଟେନ୍ ରାହାଣେ ସକାରାତ୍ମକ ବ୍ୟାଟିଂ କରି ଭାରତକୁ ଐତିହାସିକ ବିଜୟ ଭେଟି ଦେଇଥିଲେ। ଏହି ବିଜୟ ସହ ଭାରତ ୨୦୨୦ ବର୍ଷ ଶେଷ କରିଛି।