ଆଜି ଭାରତ ବନ୍ଦ !

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ୩ କୃଷି ଆଇନ ବିରୋଧରେ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ବିଭିନ୍ନ ରାଜନୀତିକ ଦଳ ସମର୍ଥନ କରୁଛନ୍ତି। ସଂଯୁକ୍ତ କିଷାନ୍‌ ମୋର୍ଚ୍ଚା ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଓଡ଼ିଶାରେ ମଧ୍ୟ ବନ୍ଦକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି। ରାଜ୍ୟରେ କଂଗ୍ରେସ ଓ ବାମ ଦଳ ଚାଷୀଙ୍କ ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି।

ଦିଲ୍ଲୀ ସୀମାରେ ଚାଷୀମାନେ ଜାରି ରଖିଥିବା ଆନ୍ଦୋଳନକୁ ଆଜି ୪ ମାସ ପୂରିଛି। ତଥାପି ସେମାନଙ୍କ ସମସ୍ୟାର ସମାଧାନ ହୋଇ ପାରୁ ନଥିବାରୁ ସେମାନେ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବନ୍ଦ ବେଳେ ଦେଶର ସମସ୍ତ ସଡ଼କ, ରେଳ ପରିବହନ ସମେତ ଦୋକାନ ବଜାର ଓ ସର୍ବସାଧାରଣ ସ୍ଥାନ ବନ୍ଦ ରହିବ। କିନ୍ତୁ ଜରୁରୀ ସେବା ଗୁଡ଼ିକୁ ଅନୁମତି ମିଳିବ। ଆମ୍ବୁଲାନ୍ସ ଯିବା ଆସିବାରେ କେହି ବି ବାଧା ସୃଷ୍ଟି କରିବେ ନାହିଁ ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।

ଭାରତ ବନ୍ଦକୁ ସଫଳ କରିବା ପାଇଁ ଚାଷୀମାନେ ନିବେଦନ କରିଛନ୍ତି। ତେବେ ବିଧାନସଭା ନିର୍ବାଚନ ହେବାକୁ ଥିବା ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଆସାମ ଓ ପୁଡୁଚେରିରେ ଏହି ବନ୍ଦ ପାଳନ କରାଯିବନି।