ଭାରତୀୟ ଟିକା ଆଉ ବିଦେଶ ଯିବନି

ନୂଆଦିଲ୍ଲୀ: କୋଭାକ୍ସିନ ଯୋଗାଣ ନେଇ ବ୍ରାଜିଲର ଦୁଇଟି କମ୍ପାନୀ ସହ ହୋଇଥିବା ବୁଝାମଣା ଚୁକ୍ତିକୁ ବାତିଲ କରିଛି ଭାରତ ବାୟୋଟେକ । ୨୦ ନିୟୁତ କୋଭାକ୍ସିନ ଡୋଜ ଯୋଗାଣ ନେଇ ଏହି ଦୁଇ କମ୍ପାନୀ ସହ ୩୨୪ ନିୟୁତ ଡଲାରର ରାଜିନାମା ଗତ ବର୍ଷ ନଭେମ୍ବରରେ ହୋଇଥିଲା । ଏହି ଦୁଇ କମ୍ପାନୀ ହେଲେ ପ୍ରେକିସା ମେଡିକାମେଣ୍ଟସ ଓ ଏନଭିକ୍ସିଆ ଫାର୍ମାସ୍ୟୁଟିକାଲ୍ସ । ଏହି ଚୁକ୍ତି ନେଇ ବିଭିନ୍ନ ଅଭିଯୋଗ ଆସିବା ସହ ରାଜନୈତିକ ସ୍ତରରେ ତମ୍ବିତୋଫାନ ସୃଷ୍ଟି ହେବା ସହ ଚୁକ୍ତିର ତଦନ୍ତ ଚାଲିବା ପରେ ଭାରତ ବାୟୋଟେକ ଏହି ପଦକ୍ଷେପ ନେଇଛି । ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି, ଯଦିଓ ଦୁଇ କମ୍ପାନୀ ସହ ଚୁକ୍ତି ବାତିଲ ହୋଇଛି ତଥାପି ବ୍ରାଜିଲର ଔଷଧ ନିୟାମକ ସଂସ୍ଥା ଆନଭିସା ସହ କମ୍ପାନୀ କାର୍ଯ୍ୟ କରିବ ।