ଆଇପିଏସ୍ ଏସ୍‌. ସୁଶ୍ରୀଙ୍କୁ ବଡ଼ ଦାୟିତ୍ୱ

ଭୁବନେଶ୍ୱର (ଏସ୍ ନ୍ୟୁଜ): ଏଥର ସାଧାରଣତନ୍ତ୍ର ଦିବସରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ପରେଡ୍‌ର ନେତୃତ୍ୱ ନେବାକୁ ମନୋନୀତ ହୋଇଥିବା ଯୁବ ଆଇପିଏସ୍ ଏସ୍‌. ସୁଶ୍ରୀ କହିଛନ୍ତି ‘ବହୁତ ଗର୍ବର ବିଷୟ। କେବେ ଆଶା କରି ନଥିଲି। କିନ୍ତୁ ଡିଜିପି ସାର୍ ହଠାତ୍ ଫୋନ୍ କରି କହିଲେ ଯେ ମୁଁ ମନୋନୀତ ହୋଇଛି। ଏହା ଶୁଣି ମୁଁ ନର୍ଭସ ହୋଇଯାଇଥିଲି। କାରଣ ଏକ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସର ପରେଡ୍‌ର ନେତୃତ୍ୱ ନେବା ବହୁତ ବଡ଼ ଦାୟିତ୍ୱ।’

ଯୁବ ଆଇପିଏସ୍ ଏସ୍‌. ସୁଶ୍ରୀ କହିଛନ୍ତି, ଏତେ ବଡ଼ ଦାୟିତ୍ୱ ଡିଜିପି ସାର୍ ମୋତେ ଦେଇଛନ୍ତି ମାନେ ମୋ ଉପରେ ତାଙ୍କର ଭରସା ରହିଛି। ମୁଁ ଆଶା କରୁଛି ତାଙ୍କର ସେହି ଭରସାକୁ ସଫଳ କରିପାରିବି। ଏଭଳି ଏକ ଦାୟିତ୍ୱ ପାଇଁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ଯେଉଁମାନଙ୍କ ପାଇଁ ମୁଁ ଏହି ସୁଯୋଗ ପାଇଛି, ସେମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ। ଆଶା କରୁଛି, ମୁଁ ସେମାନଙ୍କୁ ନିରାଶ କରିବି ନାହିଁ।

ପ୍ରଥମ ଥର ପାଇଁ ତାଙ୍କୁ ସାଧାରଣତନ୍ତ୍ର ଦିବସରେ ରାଜ୍ୟ ସ୍ତରୀୟ ପରେଡରେ ନେତୃତ୍ୱ ନେବାକୁ ସୁଯୋଗ ମିଳିଛି। ସେ ଏହାକୁ ସୂଚାରୁ ଭାବେ ସଂପନ୍ନ କରିବାକୁ ଲକ୍ଷ୍ୟ ରଖିଛନ୍ତି।ଏସ୍‌ ସୁଶ୍ରୀ ହେଉଛନ୍ତି ୨୦୧୭ ବ୍ୟାଚ୍‌ର ଆଇପିଏସ୍ ଅଫିସର। ସେ ଏବେ କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଏସ୍‌ଡିପିଓ ଭାବେ ନିଯୁକ୍ତ ହୋଇଛନ୍ତି।

ସୁରକ୍ଷା ଦୃଷ୍ଟିରୁ ସୂଚନାଯୋଗ୍ୟ, ଏଥର ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ୧୪ଟି କଣ୍ଟିଜେଣ୍ଟ ଭାଗ ନେବେ। ଏଥିପାଇଁ ଆଜି ଫୁଲ୍‌ଡ୍ରେସ୍‌ ରିହରସେଲ୍ ମଧ୍ୟ ହୋଇଥିଲା। ଡିଜିପି ଅଭୟ ଏହାର ନିରୀକ୍ଷଣ କରିଥିଲେ। ଏହି ଅବସରରେ ସେ କହିଥିଲେ, ଏଥର ପରେଡ୍‌ରେ ଆମେ ସ୍କୁଲ ପିଲାମାନଙ୍କ ଅନୁପସ୍ଥିତିକୁ ଅନୁଭବ କରିବୁ। ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଏଥର ସୁଯୋଗ ମିଳିନି। ସେହିପରି ପରେଡ୍ ବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୫ ପ୍ଲାଟୁନ୍ ପୁଲିସ୍ ମୁତୟନ କରାଯିବ।

ଡିଜିପି ଆହ୍ୱାନ ଦେଇ କହିଛନ୍ତି ନକ୍ସଲମାନଙ୍କୁ ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ କାରଣ, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ।