ନୂଆ ଆଇଟି ମନ୍ତ୍ରୀ ‘କୁ’ରେ ପ୍ରଥମ ପୋଷ୍ଟ କଲେ

ନୂଆଦିଲ୍ଲୀ: ନୂଆ ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଲୋକେ ବେଶ ପ୍ରଶଂସା କରୁଛନ୍ତି । କାର୍ୟ୍ୟଭାର ସମ୍ଭାଳିବା ପରେ ଆକ୍ସନରେ ମୋଡରେ ଅଛନ୍ତି ଅଶ୍ୱିନୀ ବୈଷ୍ଣବ । ଏହା ମଧ୍ୟରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ଆଜି ସ୍ୱଦେଶୀ ସୋସିଆଲ ପ୍ଲାଟଫର୍ମ ‘କୁ’ରେ ଯୋଗ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ନିଜର ପ୍ରଥମ ପୋଷ୍ଟ ନୂତନ ଆଇଟି ନିୟମକୁ ନେଇ କରିଛନ୍ତି । ଏଥିରେ ସେ ନୂତନ ନିୟମ ସଶକ୍ତ ଏବଂ ୟୁଜର୍ସଙ୍କ ଗୋପନୀୟତାର ସୁରକ୍ଷା କରିବ ବୋଲି କହିଛନ୍ତି । ସେ ଏହି ପ୍ରଥମ ପୋଷ୍ଟରେ ଲେଖିଛନ୍ତି ଯେ, ସେ ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ସହ ସୂଚନା ଓ ପ୍ରଯୁକ୍ତିବିଦ୍ୟା ନିୟମ ୨୦୨୧ର ଅନୁପାଳନର ସମୀକ୍ଷା କରିଛନ୍ତି । ନୂତନ ନିୟମ ୟୁଜର୍ସଙ୍କୁ ସଶକ୍ତ ଏବଂ ସଂରକ୍ଷିତ କରିବ । ଏଥିସହ ଭାରତରେ ଏକ ସୁରକ୍ଷିତ ଓ ଦାୟିତ୍ୱବାନ ସାମାଜିକ ଗଣମାଧ୍ୟମ ମାହୋଲକୁ ସୁରକ୍ଷିତ ରଖିବ ।