ଅକ୍ଟୋବର ଶେଷରେ ରାଜ୍ୟରୁ ବିଦାୟ ନେବ ମୌସୁମୀ


ଭୁବନେଶ୍ୱର( ଏସ୍ ନ୍ଯୁଜ) : ରାଜ୍ୟରୁ ଦକ୍ଷିଣ- ପଶ୍ଚିମ ବିଦାୟ ନେଉଛି ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟ ଠାରୁ ୧୦ ଦିନ ବିଳମ୍ବରେ ବିଦାୟ ନେବାର ପ୍ରକ୍ରିୟା ଆରମ୍ଭ କରିଛି।

ଆଜି ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର ଏବଂ ନୂଆପଡ଼ା, ମୟୂରଭଞ୍ଜର କିଛି ଅଂଶ, କେନ୍ଦୁଝର, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାରୁ ସଂପୂର୍ଣ୍ଣ ରୂପେ ବିଦାୟ ନେଇ ଯାଇଛି ଦକ୍ଷିଣ- ପଶ୍ଚିମ ମୌସୁମୀ ।

ସେପଟେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରୁ ଦକ୍ଷିଣ- ପଶ୍ଚିମ ମୌସୁମୀର ବିଦାୟ ପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ ହୋଇ ପଡ଼ିଛି । ଏହାକୁ ନେଇ ୨୮ ଅକ୍ଟୋବର ସୁଦ୍ଧା ରାଜ୍ୟରୁ ମୌସୁମୀ ସଂପୂର୍ଣ୍ଣ ରୂପେ ବିଦାୟ ନେଇଯିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ଇସ୍ତାହାରରେ କୁହାଯାଇଛି।

ସେଏହିପରି ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ପ୍ରକାରର ବଡ଼ ବର୍ଷାର ସମ୍ଭାବନା ନାହିଁ। କେବଳ ୨୭ ତାରିଖ ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପାଗ ଆଂଶିକ ମେଘୁଆ ରହିବା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି।