ପଞ୍ଚମଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ଆଇପିଏଲ୍‌ ମୁକୁଟ

ଆବୁଧାବି : ଚଳିତ ଆଇପିଏଲ୍‌ରେ ମିଳିଲାନି ନୂଆ ବିଜେତା। ୫୩ ଦିନ ଓ ୬୦ ମ୍ୟାଚ୍‌ର ରୋମାଞ୍ଚକର ଲଢ଼େଇ ପରେ ଚଳିତ ଆଇପିଏଲ୍‌ର ବିଜେତା ମୁକୁଟ ପିନ୍ଧିଛି ମୁମ୍ବାଇ ଇଣ୍ଡିଆନ୍ସ । ମଙ୍ଗଳବାର ମେଗା ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟ୍‌ରେ ହରାଇ ମୁମ୍ବାଇ ୫ମ ଥର ପାଇଁ ଟ୍ରଫି ଟକ୍କରରେ ବାଜି ମାରି ନେଇଛି। ଦିଲ୍ଲୀ ମଙ୍ଗଳବାର ୧୫୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ୮ ବଲ୍ ପୂର୍ବରୁ ୫ ୱିକେଟ୍ ହରାଇ ହାସଲ କରି ନେଇଥିଲା। ବିଜୟ ପରେଅଧିନାୟକ ରୋହିତ ଶର୍ମାଙ୍କୁ ଟ୍ରଫି ପ୍ରଦାନ କରିଥିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ।

ତେବେ ଶେଷ ମ୍ୟାଚ୍‌ରେ ୧୫୭ରନ୍‌ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ମୁମ୍ବାଇ ଅଧିନାୟକ ରୋହିତ ଶର୍ମାଙ୍କ (୬୮ ରନ୍, ୫୧ ବଲ୍, ୫ ଚୌକା, ୪ ଛକା) ଅର୍ଧଶତକ ସହ ଈଶାନ କିଶନ (୩୩* ରନ୍, ୧୯ ବଲ୍, ୩ ଚୌକା, ୧ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଏକତରଫା ବିଜୟ ହାସଲ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ। କ୍ବିଣ୍ଟନ୍ ଡି’ କକ୍ ୧୨ ବଲ୍‌ରୁ ୨୦ ଏବଂ ସୂର୍ଯ୍ୟକୁମାର ଯାଦବ ୨୦ ବଲ୍‌ରୁ ୧୯ ରନ୍ କରିଥିଲେ। ହେଲେ ଉଭୟ ବଲ୍ ଏବଂ ବ୍ୟାଟ୍‌ରେ ଆଧିପତ୍ୟ ବିସ୍ତାର କରି ମୁମ୍ବାଇ ସହଜରେ ପଞ୍ଚମ ଥର ପାଇଁ ବିଜେତା ମୁକୁଟ ପିନ୍ଧିଥିଲା।

ସେହିଭଳି ଦିଲ୍ଲୀ କ୍ୟାପିଟାଲ୍ସର ଟ୍ରଫି ବିଜୟ ସ୍ବପ୍ନ ମଉଳି ଯାଇଥିଲା। ତା’ ସହ ଚଳିତ ଋତୁରେ ମୁମ୍ବାଇଠାରୁ ଏହି ଦଳ ଲଗାତାର ଚତୁର୍ଥ ପରାଜୟ ବରଣ କରିଥିଲା। ରୋହିତ ମଙ୍ଗଳବାରର ମେଗା ଫାଇନାଲ୍‌ରେ ନିଜ ୨୦୦ତମ ଆଇପିଏଲ୍ ମ୍ୟାଚ୍ ଖେଳିଥିଲେ। ସେ ମଧ୍ୟ ପ୍ରଥମ ଖେଳାଳି ଭାବେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୪,୦୦୦ ପୂରଣ କରିଥିଲେ। ସେହିଭଳି ପାଞ୍ଚଟି ଆଇପିଏଲ୍ ଟ୍ରଫି ଜିତିବାରେ ପ୍ରଥମ ଅଧିନାୟକ ହେବାର ଗୌରବ ଅର୍ଜନ କରିଥିଲେ। ମ୍ୟାଚ୍‌ର ପ୍ରଥମ ବଲ୍‌ରେ ଆଉଟ୍ ହୋଇଥିବା ଷ୍ଟୋଇନିସ୍ ନିଜ ବୋଲିଂର ପ୍ରଥମ ବଲ୍‌ରେ କ୍ବିଣ୍ଟନ୍ ଡି’କକ୍‌ଙ୍କୁ ଆଉଟ୍ କରିଥିଲେ। ହେଲେ ଏହା ମୁମ୍ବାଇ ବିଜୟକୁ ରୋକିବା ଲାଗି ପର୍ଯ୍ୟାପ୍ତ ହୋଇନଥିଲା।

ପଏଣ୍ଟ୍‌ ଟେବୁଲ୍ ଶୀର୍ଷରେ ରହି ଆଇପିଏଲ୍ ଟ୍ରଫି ଜିତିବାରେ ମୁମ୍ବାଇ ଇଣ୍ଡିଆନ୍ସ ହ୍ୟାଟ୍ରିକ୍ ଅର୍ଜନ କରିଛି। ୨୦୧୭, ୨୦୧୯ ପରେ ୨୦୨୦ରେ ରୋହିତ ଶର୍ମାଙ୍କ ଦଳ ଲିଗ୍ ପର୍ଯ୍ୟାୟରେ ଶୀର୍ଷରେ ରହିବା ପରେ ଟ୍ରଫି ଜିତିଛି। ଅନ୍ୟ ଏକ ଦଳ ଭାବେ ରାଜସ୍ଥାନ ରୟାଲ୍ସ ୨୦୦୮ ପ୍ରଥମ ସଂସ୍କରଣରେ ଏଭଳି ସଫଳତା ପାଇଥିଲା। ପ୍ରଥମ ଥର ପାଇଁ ମୁମ୍ବାଇ ମଧ୍ୟ ଫାଇନାଲ୍‌ ମ୍ୟାଚ୍‌କୁ ଫେରିକି କରି ଜିତିଛି। ୨୦୧୦ରେ ଦଳ ଦ୍ବିତୀୟରେ ବ୍ୟାଟିଂ କରି ହାରିଯାଇଥିଲା। ଦିଲ୍ଲୀ ବିପକ୍ଷ ଚଳିତ ଋତୁର ସମସ୍ତ ୪ ମୁକାବିଲା (ଲିଗ୍-୨, କ୍ବାଲିଫାୟାର୍-୧ ଏବଂ ଫାଇନାଲ୍)ରେ ମୁମ୍ବାଇ ମଧ୍ୟ ବିଜୟୀ ହୋଇ ଅପରାଜିତ ରହିଲା।

ଅନ୍ୟପଟେ ପ୍ରଥମ ଥର ଫାଇନାଲ୍ ଖେଳୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟସ୍ ଆୟର ଟସ୍ ଜିତି ବ୍ୟାଟିଂ ନେଇଥିଲେ। ତେବେ ଏହି ନିଷ୍ପତ୍ତି ତାଙ୍କ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ପ୍ରଥମ ବଲ୍‌ରେ ମାର୍କସ ଷ୍ଟୋଇନିସ (୦)ଙ୍କୁ ଆଉଟ୍ କରି ଟ୍ରେଣ୍ଟ ବୋଲ୍ଟ ନବୀନ ଇତିହାସ ରଚିଥିଲେ। ଆଇପିଏଲ୍‌ର ୧୩ ଋତୁରେ ପ୍ରଥମ ବୋଲର ଭାବେ କୌଣସି ଫାଇନାଲ୍‌ର ପ୍ରଥମ ବଲ୍‌ରେ ହିଁ ସେ ୱିକେଟ୍ ନେବାର ଗୌରବ ଅର୍ଜନ କରିଥିଲେ। ସେ ମଧ୍ୟ ଭୁବନେଶ୍ବର କୁମାର (୬ ୱିକେଟ୍)ଙ୍କୁ କାଟି ଆଇପିଏଲ୍ ଇତିହାସର ସଫଳତମ ନୂଆ ବଲ୍ ବୋଲର ପାଲଟିଥିଲେ। ଚଳିତ ଋତୁରେ ଏହି ବାମହାତୀ କିୱି ବୋଲର ପ୍ରଥମ ଓଭରଗୁଡ଼ିରେ ମୋଟ ୮ ୱିକେଟ୍ କରାୟତ କରିଛନ୍ତି। ଷ୍ଟୋଇନିସ୍‌ଙ୍କୁ ସଟ୍ ବଲ୍‌ରେ ଚକିତ କରିବାର ପର ଓଭରରେ ଅଜିଙ୍କ୍ୟ ରାହାଣେଙ୍କୁ ଆଉଟ୍ କରି ଦିଲ୍ଲୀକୁ ବୋଲ୍ଟ ଆଜି ୨ ଓଭରରେ ଦୁଇଟି ଶକ୍ତ ଝଟ୍‌କା ଦେଇଥିଲେ।

ସେପଟେ ଦିଲ୍ଲୀର ଅଗ୍ରଣୀ ସ୍କୋରର ତଥା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ (୧୫)ଙ୍କୁ ଜୟନ୍ତ ଯାଦବ ଚତୁରତାର ସହ କ୍ଲିନ୍ ବୋଲ୍ଡ କରିବା ପରେ ଦିଲ୍ଲୀ ୨୨ ରନ୍‌ରେ ୩ ୱିକେଟ୍ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ଅଧିନାୟକ ଶ୍ରେୟସ୍ ଆୟର (୬୫* ରନ୍, ୫୦ ବଲ୍, ୫ ଚୌକା, ୨ ଛକା) ଓ ଋଷବ ପନ୍ତ (୫୬ ରନ୍, ୩୮ ବଲ୍, ୪ ଚୌକା, ୨ ଛକା) ଚତୁର୍ଥ ୱିକେଟ୍‌ରେ ଦ୍ରୁତ ୯୮ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ତେବେ ଏହା ପରେ ଦିଲ୍ଲୀ ଆଉ ଏକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଶେଷ କିଛି ଓଭରରେ ଆଶାଜନକ ଭାବେ ରନ୍ ହାର ବଢ଼ାଇ ପାରିନଥିଲା। ଅଧିନାୟକ ଆୟର କିନ୍ତୁ ଚଳିତ ଋତୁର ତୃତୀୟ ଅର୍ଧଶତକ ଅର୍ଜନ କରିଥିଲେ। ସେ ମଧ୍ୟ ଚଳିତ ସଂସ୍କରଣରେ ବ୍ୟକ୍ତିଗତ ଭାବେ ୫୦୦ ରନ୍ ଟପିଥିଲେ।