ବାତ୍ୟାର ରୂପ ନେବ ‘ନିଭାର୍‌’- shaksi news

ଭୁବନେଶ୍ୱର(ଏସ୍ ନ୍ୟୁଜ ) : ଭୀଷଣ ବାତ୍ୟାର ରୂପ ନେବ ‘ନିଭାର୍‌’। ‘ନିଭାର୍‌’ ୨୫ ତାରିଖ ଅପରାହ୍ନରେ ତାମିଲନାଡ଼ୁ ଓ ପୁଡୁଚେରି ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୧୦ କିମି ମଧ୍ୟରେ ରହିବ। ସ୍ଥଳବିଶେଷରେ ୧୨୦ କିମି ବେଗରେ ପବନର ଝଟ୍‌କା ଅନୁଭୂତ ହେବାର ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ।

ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି ଯେ, ଗତକାଲି ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ ବଳୟଟି ଆଜି ଘନୀଭୂତ ହୋଇ ଅବପାତର ରୂପ ନେଇଛି। ଏହା ଧୀରେ ଧୀରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରୁଛି। ଆଜି ସକାଳ ୮ଟା ସୁଦ୍ଧା ଅବପାତ ପୁଡୁଚେରିଠାରୁ ୫୫୦ କିମି ଓ ଦକ୍ଷିଣପୂର୍ବ ଚେନ୍ନାଇଠାରୁ ୫୯୦ କିମି ଦୂରତାରେ ରହିଥିଲା। ଆସନ୍ତା ୨୪ ଘଣ୍ଟା‌‌‌ରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ପରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରି ୨୫ ତାରିଖ ଅପରାହ୍‌ଣ ସୁଦ୍ଧା କରାଇକାଲ୍‌ ଓ ମାମାଲ୍ଲାପୁରମ୍‌ ମଧ୍ୟ ଦେଇ ‘ଭୀଷଣ ବାତ୍ୟା’ ରୂପରେ ତାମିଲନାଡ଼ୁ ଓ ପୁଡୁଚେରି ଉପକୂଳ ଦେଇ ଅତିକ୍ରମ କରିବ।

ବାତ୍ୟା ପ୍ରଭାବରେ ୨୫ ତାରିଖ ଦିନ ମାଲକାନଗିରି, ରାୟଗଡ଼ା, ଗଜପତି, କୋରାପୁଟ, ଗଞ୍ଜାମ ଓ କନ୍ଧମାଳ ଆଦି ଜିଲ୍ଲାରେ କେ‌ତେକ ଅଞ୍ଚଳ ସହ ରାଜ୍ୟର ବାକି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୨୬ ତାରିଖକୁ ବର୍ଷା ପରିମାଣ ବଢ଼ିପାରେ। ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁର ଆଦି ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ହେବ।