ବିସ୍ଫୋରକ ଆରମ୍ଭ ସତ୍ତ୍ୱେ ବଡ଼ ସ୍କୋର କରିବାରେ ବିଫଳ ହୋଇଛି ରାଜସ୍ଥାନ

ଦୁବାଇ: ଏଭିନ ଲୁଇସ ଓ ଯଶ୍ୱସୀ ଜୈସୱାଲଙ୍କ ବିସ୍ଫୋରକ ଆରମ୍ଭ ସତ୍ତ୍ୱେ ବଡ଼ ସ୍କୋର କରିବାରେ ବିଫଳ ହୋଇଛି ରାଜସ୍ଥାନ ରୟାଲ୍ସ। ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭର୍‌ରେ ୯ ୱିକେଟ ହରାଇ ମାତ୍ର ୧୪୯ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ଏହି ମ୍ୟାଚ୍‌କୁ ଜିତିବା ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୧୫୦ ରନ୍‌ର ଟାର୍ଗେଟ ମିଳିଛି।

ରାଜସ୍ଥାନ ପକ୍ଷରୁ ଲୁଇସ ୫୮ ଓ ଜୈସୱାଲ ୩୧ ରନ୍‌ କରିଥିଲେ ହେଁ ଆଉ କୌଣସି ବ୍ୟାଟସମ୍ୟାନ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇ ନଥିଲେ।ଦୁବାଇରେ ବିରାଟ କୋହଲି ଟସ ଜିତି ସଞ୍ଜୁ ସାମସନଙ୍କ ଦଳକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲେ। ଏହି ନିଷ୍ପତ୍ତିକୁ ଭୁଲ ପ୍ରମାଣତି କରି ଲୁଇସ ଓ ଜୈସୱାଲ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ମାତ୍ର ୮ ଓଭର୍‌ରେ ଦଳର ଖାତାରେ ୭୭ ରନ୍‌ ଯୋଡ଼ି ରାଜସ୍ଥାନକୁ ଦମଦାର ଷ୍ଟାର୍ଟ ଦେଇଥିଲେ।

ଏହି ଆରମ୍ଭ ପରେ ରାଜସ୍ଥାନ ଅତିକମରେ ୧୮୦ରୁ ଅଧିକ ରନ୍‌ କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ୮ମ ଓଭର୍‌ର ଦ୍ୱିତୀୟ ବଲ୍‌ରେ ଡାନିଏଲ ଖ୍ରୀଷ୍ଟିଆନ ୩୧ ରନ୍‌ କରିଥିବା ଜୈସୱାଲଙ୍କୁ ଆଉଟ କରି ରାଜସ୍ଥାନକୁ ପ୍ରଥମ ଝଟକା ଦେଇଥିଲେ। ଏହାପରେ ଅଧିନାୟକ ସଞ୍ଜୁ ସାମସନ ଓ ଲୁଇସ ସ୍ଥିତି ସମ୍ଭାଳିଥିଲେ। ଏପରି କି ଲୁଇସି ଅର୍ଦ୍ଧଶତକ ହାସଲ ମଧ୍ୟ କରିଥିଲେ। ଦଳୀୟ ସ୍କୋର ୧୦୦ ଥିବା ବେଳେ ସେ ବଡ଼ ଶଟ ଖେଳିବା ଲୋଭରେ ଜର୍ଜ ଗାରଟନଙ୍କ ବଲରେ ଆଉଟ ହୋଇଯାଇଥିଲେ।

ଆଉଟ ହେବା ପୂର୍ବରୁ ଲୁଇସ ମାତ୍ର ୩୭ଟି ବଲ୍‌ରେ ୫ଚୌକା ଓ ୩ଛକା ବଳରେ ୫୮ ରନ୍‌ର ଇନିଂସ ଖେଳିଥିଲେ। ଲୁଇସ ଆଉଟ ହେବା ପରେ ଆରମ୍ଭ ହୋଇଥିଲା ବ୍ୟାଟିଂ ବିପର୍ଯ୍ୟୟ। ୟୁଜଭେନ୍ଦର ଚହଲ ପ୍ରଥମେ ମହିପାଲ ଲୋମୋର(୩)ଙ୍କୁ ଆଉଟ କରିଥିଲେ। ଏହାପରେ ୧୯ ରନ୍‌ କରିଥିବା ସଞ୍ଜୁ ବାଉଣ୍ଡରୀ ପାଖରେ ଶାହବାଜ ଅହମଦଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ସେହି ଓଭର୍‌ରେ ଅହମଦ ୨ ରନ୍‌ କରିଥିବା ରାହୁଲ ତେୱାତିଆଙ୍କ ୱିକେଟ ବି ନେଇଥିଲେ।

ଲିଆମ ଲିଭଙ୍ଗଷ୍ଟୋନ ଓ ରିୟାନ ପରାଗ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ଏହା ସମ୍ଭବ ହୋଇ ନଥିଲା। ଲିଭଙ୍ଗଷ୍ଟୋନ(୬)ଙ୍କୁ ଚହଲ ଆଉଟ କରି ରାଜସ୍ଥାନର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ଶେଷ ଭାଗରେ ଚଳିତ ଆଇପିଏଲର ସର୍ବାଧିକ ୱିକେଟ ଦଖଲକାରୀ ହର୍ଷଲ ପଟେଲ ନିଜର ଯାଦୁ ଦେଖାଇଥିଲେ। ସେ ରିୟାନ ପରାଗ(୯), କ୍ରିସ ମୋରିସ (୧୪) ଓ ଶେଷ ବଲରେ ଚେତ ସକାରିୟା(୨)ଙ୍କୁ ଆଉଟ କରି ରାଜସ୍ଥାନର ରନ ସଂଗ୍ରହ ହାରରେ ବ୍ରେକ ଲଗାଇ ଦେଇଥିଲେ। ଫଳରେ ରାଜସ୍ଥାନ ୨୦ ଓଭର୍‌ରେ ୯ ୱିକେଟ ହରାଇ ୧୪୯ ରନ୍‌ରେ ସୀମିତ ରହିଥିଲା।