ଆତ୍ମନିର୍ଭର ଭାରତ ଅର୍ଥନୀତିର ଦ୍ରୁତ ସମ୍ପ୍ରସାରଣ ଲକ୍ଷ୍ୟ ହାସଲ କରିବ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲୀ/ଭୁବନେଶ୍ୱର,(ଏସ୍ ନ୍ୟୁଜ‌): ଦେଶରେ ଗ୍ୟାସ ଆଧାରିତ ଅର୍ଥନୀତିର ଦ୍ରୁତ ସମ୍ପ୍ରସାରଣ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ କରିବ ଏବଂ ଏହି କାରଣ ପାଇଁ ୱାନ୍ ନେସନ, ୱାନ୍ ଗ୍ରୀଡକୁ ଅଧିକ ପ୍ରଧାନ୍ୟ ଦିଆଯାଉଛି ବୋଲି ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏହି ପାଇପଲାଇନ କେରଳ ଏବଂ କଣ୍ଣାଟକର ଲୋକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ।

ଏହି ପାଇପଲାଇନ ଏହି ଦୁଇଟି ରାଜ୍ୟର ଅର୍ଥନୀତି ଅଭିବୃଦ୍ଧିରେ ସୁପ୍ରଭାବ ପକାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତିା
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଚ୍ଚାଭିଳାଷୀ କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହେବା ଦେଶର ଗ୍ୟାସ ଆଧାରିତ ଅର୍ଥନୀତି ଯାତ୍ରାରେ ଐତିହାସିକ କ୍ଷଣ । ଆଜିର ଉଦ୍‌ଘାଟନ ଦେଶର ସ୍ୱଚ୍ଛ ଉର୍ଜା ଭିତିଭୂମିକୁ ମଜବୁତ୍ କରିବା ଦିଗରେ ପ୍ରଭାବଶାଳୀ ପଦକ୍ଷେପ ବୋଲି ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଏହି ପାଇପଲାଇନ ପ୍ରକଳ୍ପ କେରଳ ଏବଂ କର୍ଣ୍ଣାଟକ ଲୋକଙ୍କ ପାଇଁ ଏକ ସ୍ୱଚ୍ଛ ଇନ୍ଧନ ଆଧାରିତ ବିକାଶ ଆଣିବ ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଙ୍ଗାରକାମ୍ଳ କମ୍ କରିବା ତଥା ଜଳବାୟୁ ପରିବର୍ତନକୁ ହ୍ରାସ କରିବା ଦିଗରେ ପ୍ରଧାନମନ୍ତ୍ରୀ ଦୃଢ଼ ପ୍ରତିବଦ୍ଧତା ରହିଛି । ଏହି ଉଚ୍ଚାଭିଳାଷୀ ଜାତୀୟ ପ୍ରକଳ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱଚ୍ଛ ରୋଡମ୍ୟାପ ଏବଂ ସବୁଜ ମାର୍ଗ ଆପଣାଇବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନ ଉଭୟ କେରଳ ଏବଂ କର୍ଣ୍ଣାଟକ ପାଇଁ ବିକାଶର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହେବ । ଏହା ନାଗରିକଙ୍କ ଇଜ୍ ଅଫ୍ ଲିଭିଂକୁ ସୁବିଧା ପ୍ରଦାନ କରିବ, ‘ୱାନ ନେସନ, ୱାନ ଗ୍ରୀଡ଼’କୁ ଆଗେଇ ନେବା ସହ ଉର୍ଜା କ୍ଷେତ୍ରକୁ ଆତ୍ମନିର୍ଭର କରିବ ।
୪୫୦ କିମି ଲ ମ୍ବ କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନ ୩ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ଗେଲ୍ ଦ୍ୱାରା ନିର୍ମିତ ହୋଇଛି । ଏହା ଦୈନିକ ୧୨ ମିଲିୟନ ମେଟ୍ରିକ ଷ୍ଟାଣ୍ଡାର୍ଡ କ୍ୟୁବିକ୍ ମିଟର(ଏମଏମଏସସିଏମଡି) ପରବହନ କ୍ଷମତା ରଖୁଛି । କେରଳର କୋଚିରେ ଏଲଏନଜି ରେଜିଫିକେସନ ଟର୍ମିନାଲରୁ ପ୍ରାକୃତିକ ଗ୍ୟାସ ପରିବହନ କରିବ । ଏହା ଏର୍ନାକୁଲମ, ଥ୍ରିସୁର, ପାଲକ୍କଡ, ମାଲପୁରମ, କାଜିକୋଡେ, କନ୍ନୁର୍‌, କାସାରାଗୋଡ୍ ତଥା କର୍ଣ୍ଣାଟକର ମାଙ୍ଗାଲୁରୁକୁ ନିରବଚ୍ଛିନ ପରିବେଶ ସହଯୋଗୀ ଇନ୍ଧନ ଯୋଗାଇବ । ନିର୍ମାଣ ସମୟ ମଧ୍ୟରେ ଏହି ପ୍ରକଳ୍ପ ୧୨ଲକ୍ଷ ମାନବ ଦିବସ ନିଯୁକ୍ତି ସୃଷ୍ଟି କରିଛି ।
କୋଚି – ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନ ସମୃଦ୍ଧ ଏବଂ ଆତ୍ମନିର୍ଭର କରିବାରେ ନୂଆ ଅଧ୍ୟାୟ ଆଣିବ । ପାଇପଲାଇନ ଦେଇ ଯାଉଥିବା ସମଗ୍ର ୧୦ଟି ଜିଲ୍ଲାର ଘର, ବାଣିଜ୍ୟିକ କେନ୍ଦ୍ର ପାଇଁ ପରିବେଶ ସହଯୋଗୀ ଓ ସୁଲଭ ଇନ୍ଧନ ପିଏନଜି ଏବଂ ପରିବହନ କ୍ଷେତ୍ର ପାଇଁ ସିଏନଜି ଯୋଗାଇବା ସଙ୍ଗେସଙ୍ଗେ ପାଇପଲାଇନ୍ ଗ୍ୟାସ ଆଧାରିତ ଶିଳ୍ପକୁ ଗତି ଦେବ । ଏହି ପାଇପଲାଇନ ପେଟ୍ରୋକେମିକାଲ ଓ ସାର କ୍ଷେତ୍ରରେ ଥିବା ଅନେକ ଶିଳ୍ପକୁ ସ୍ୱଚ୍ଛ ଏବଂ ସ୍ଥାୟୀ ଇନ୍ଧନ ପ୍ରଦାନ କରିବ ଓ ଗ୍ୟାସ ଆଧାରିତ ଶିଳ୍ପ ଗୁଡିକୁ ପ୍ରୋତ୍ସାହନ ଦେବ । କର୍ଣ୍ଣାଟକ ଏବଂ କେରଳ ଲୋକଙ୍କୁ ସାମାଜିକ-ଅର୍ଥନୈତିକ ଓ ସ୍ୱାସ୍ଥ୍ୟ ସହ ଜଡିତ ଲାଭ ଦେବ । ଦେଶର ଦକ୍ଷିଣାଂଚଳରେ ଅର୍ଥନୀତିରେ ଅଭିବୃଦ୍ଧି ହେବ ଏବଂ ନିଯୁକ୍ତି ସୃଷ୍ଟି କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ସୂଚନାଯୋଗ୍ୟ, ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କର୍ଣ୍ଣାଟକ ଏବଂ କେରଳର ରାଜ୍ୟପାଳ ବାଜୁଭାଇ ବାଲା, ଆରିଫ ମହମ୍ମଦ ଖାନ ଓ ଏହି ଦୁଇଟି ରାଜ୍ୟର ମୁଖ୍ୟମନ୍ତ୍ରୀ ବିଏସ ୟେଦୁୟୁରୋପ୍ପା, ପିନାରାୟୀ ବିଜୟନ ପ୍ରମୁଖ ଭିଡିଓ କନଫରେନ୍ସିଂରେ ସାମିଲ ହୋଇଥିଲେ ।