ସେପ୍ଟେମ୍ବରରୁ ସୁଦ୍ଧା କରୋନା ବିରୋଧରେ ଛୋଟ ପିଲାଙ୍କୁ ଟିକା

ନୂଆଦିଲ୍ଲୀ: ଦେଶରେ ସେପ୍ଟମ୍ବର ସୁଦ୍ଧା କରୋନା ବିରୋଧରେ ଛୋଟ ପିଲାମାନଙ୍କ ଟିକାକରଣ ଆରମ୍ଭ ହୋଇପାରେ । କରୋନା ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଜି ଏମ୍ସ ମୁଖ୍ୟ ଡା ରଣଦୀପ ଗୁଲେରିଆ କହିଛନ୍ତି । ସେ କହିଛନ୍ତି, ଜାୟଡସ କାଡିଲା ଛୋଟ ପିଲାମାନଙ୍କ ଉପରେ ଟିକାର ପରୀକ୍ଷଣ ଶେଷ କରି ସାରିଛି । ସେମାନେ କେବଳ ଜରୁରୀ କାଳୀନ ବ୍ୟବହାର ପାଇଁ ମିଳିବାକୁ ଥିବା ଅନୁମତିକୁ ଅପେକ୍ଷା କରିଛନ୍ତି । ସେହିପରି ଭାରତ ବାୟୋଟେକର କୋଭାକ୍ସିନର ପରୀକ୍ଷା ଅଗଷ୍ଟ କିମ୍ବା ସେପ୍ଟେମ୍ବର ସୁଦ୍ଧା ଶେଷ ହେବ । ଏହି ସମୟରେ ଆମେ ଟିକାର ବ୍ୟବହାର ଛୋଟ ପିଲାମାନଙ୍କ ଉପରେ କରିବାକୁ ଅନୁମତି ପାଇ ସାରିଥିବୁ । ଫାଇଜର ଟିକାକୁ ଆମେରିକାର ଏଫଡିଏ ଛୋଟ ପିଲାମାନଙ୍କ ଉପରେ ବ୍ୟବହାର କରିବାକୁ ଅନୁମତି ଦେଇ ସାରିଛି । ଆମର ଆଶା ସେପ୍ଟେମ୍ବର ସୁଦ୍ଧା ଆମେ ଛୋଟ ପିଲାମାନଙ୍କର ଟିକାକରଣ ଆରମ୍ଭ କରିବୁ । ଏହା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ଗୋଟିଏ ବଡ ପଦକ୍ଷେପ ହେବ । ଆମକୁ ଛୋଟ ପିଲାମାନଙ୍କର ଟିକାକରଣ ପାଇଁ ଦେଶରେ ତିଆରି ହେଉଥିବା ଟିକା ହାସଲ କରିବା ଦରକାର । ଏଥିପାଇଁ ଜାୟଡସ ଓ ଭାରତ ବାୟୋଟେକ ବେଶ ଗୁରୁତ୍ୱପୂର୍ଣ୍ଣ । ଫାଇଜର ଟିକା ମଧ୍ୟ ସୁରକ୍ଷିତ ବୋଲି ଅନେକ ତଥ୍ୟ ମିଳିଛି ।