ୟୁଏଇର ଟି-ଟ୍ୱେଣ୍ଟିରେ ସାମିଲ୍ ହେଲେ ଓଡ଼ିଆ ଝିଅ

ନୂଆଦିଲ୍ଲୀ: ୟୁଏଇରେ ଖେଳାଯିବାକୁ ଥିବା ଟି-ଟ୍ୱେଣ୍ଟିରେ ସାମିଲ୍ ହେଲେ ଓଡ଼ିଆ ଝିଅ। ୟୁଏଇରେ ୪ ନଭେମ୍ବରରୁ ୯ ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବ ମହିଳା ଟି-ଟ୍ୱେଣ୍ଟି। ଏହି କ୍ରିକେଟ ମ୍ୟାଚରେ ଖେଳିବେ ଓଡ଼ିଶା କ୍ରିକେଟ୍ ଆସୋସିଏସନର ମହିଳା କ୍ରିକେଟର ସୁଶ୍ରୀ ଦିବ୍ୟଦର୍ଶିନୀ। ସୁଶ୍ରୀ ଏଥିପାଇଁ ମନୋନୀତ ହୋଇଛନ୍ତି। ଏ ନେଇ ଓସିଏ ସୂଚନା ଦେଇଛି।

ତେବେ ସୁଶ୍ରୀ ୧୯ ବର୍ଷରୁ କମ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମ୍ୟାଚ ଖେଳିବା ସହିତ ଓଡ଼ିଶା ମହିଳା କ୍ରିକେଟ ଦଳର ଜଣେ ଅଭିଜ୍ଞ ଖେଳାଳି। ସୁଶ୍ରୀ ହେଉଛନ୍ତି ଢେଙ୍କାନାଳର ଝିଅ। ୨୩ ବର୍ଷୀୟ ସୁଶ୍ରୀ ଜଣେ ଡାହାଣ ହାତୀ ବ୍ୟାଟିଂ କରନ୍ତି। ମୁଖ୍ୟତଃ ସେ ତାଙ୍କ ବୋଲିଂ ପାଇଁ ପରିଚିତ। ସେ ଭାରତର ଇଷ୍ଟଜୋନରୁ ପ୍ରତିନିଧିତ୍ୱ କରନ୍ତି। ଇଣ୍ଡିଆ ବ୍ଲୁ ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ ଏ ପାଇଁ ସୁଶ୍ରୀ ଖେଳିଛନ୍ତି। ସୁଶ୍ରୀ ବର୍ତ୍ତମାନ ଓଡ଼ିଶା ପୁଲିସରେ ଅଛନ୍ତି। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ସଞ୍ଜୟ ବେହେରା ସୁଶ୍ରୀଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ଅନ୍ୟପଟେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ) ରବିବାର ମହିଳା ଟି-୨୦ ଚ୍ୟାଲେଞ୍ଜ ପାଇଁ ତିନି ଟିମର ଘୋଷଣା କରିଛି। ସୁପର୍‌ନୋଭାସ, ଟ୍ରେଲବ୍ଲେଜର ଓ ଭେଲୋସିଟି ନାମକ ୩ଟି ଦଳଏହି ପ୍ରତିଯୋଗିତାରେ ଭାଗ ନେବେ । ଏହି ତିନି ଟିମର ନେତୃତ୍ୱ ନେବେ ହରମନପ୍ରୀତ କୌର୍, ସ୍ମୃତି ମନ୍ଧାନା ଓ ମିତାଲୀ ରାଜ୍। ଏଥର ମହିଳା ଟି-୨୦ ଚ୍ୟାଲେଞ୍ଜ୍ ୟୁଏଇରେ ନଭେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ।

ଏହି ଟୁର୍ଣ୍ଣାମେଣ୍ଟରେ ହରମନପ୍ରୀତ କୌର ସୁପରନୋଭା ନେତୃତ୍ୱ ନେବେ। ସେହିପରି ମିତାଲୀ ଓ ମନ୍ଧାନା ଯଥାକ୍ରମେ ଭେଲୋସିଟି ଓ ଟ୍ରାଏଲବ୍ଲେଜର୍ସ ଟିମର କ୍ୟାପଟେନ୍ ହେବେ। ଗତବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ହରମନପ୍ରୀତଙ୍କର ସୁପରନୋଭା ଟିମ୍ ମିତାଲୀ ରାଜଙ୍କ ଭେଲୋସିଟିକୁ ଫାଇନାଲରେ ୪ ୱିକେଟରେ ହରାଇ ଟାଇଟଲ୍ ଜିତିଥିଲା।

ଏଥିସହ ୟୁଏଇରେ ଖେଳାଯିବାକୁ ଥିବା ଟି-ଟ୍ୱେଣ୍ଚି ପାଇଁ ତାଙ୍କର ସଫଳତା କାମନା କରିଛନ୍ତି। ଭାରତୀୟ ଖେଳାଳିଙ୍କ ସମେତ ଚଳିତ ବର୍ଷ ୧୨ ଜଣ ବିଦେଶୀ ମହିଳା କ୍ରିକେଟର୍‌ ଏହି ପ୍ରତିଯୋଗିତାରେ ଭାଗ ନେବେ। ଗତ ବର୍ଷର ଫାଇନାଲିଷ୍ଟ ଭେଲୋସିଟି ଓ ସୁପର୍‌ନୋଭାସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ନଭେମ୍ବର ୪ରେ ଖେଳାଯିବ। ଏହି ପ୍ରତିଯୋଗିତା ଲାଗି ବିସିସିଆଇ ଭେନ୍ୟୁ ଘୋଷଣା କରି ନ ଥିଲେ ମଧ୍ୟ ସମସ୍ତ ମ୍ୟାଚ୍‌ ୟୁଏଇରେ ଖେଳାଯିବ ବୋଲି ଜଣାପଡ଼ିଛି।