ହସ୍ପିଟାଲରେ ତାମିଲ ସୁପରଷ୍ଟାର ରଜନୀକାନ୍ତ

ନୂଆଦିଲ୍ଲୀ: ହସ୍ପିଟାଲରେ ତାମିଲ ସୁପରଷ୍ଟାର ରଜନୀକାନ୍ତ। ଉଚ୍ଚ ରକ୍ତଚାପ କାରଣରୁ ରଜନୀକାନ୍ତ ଅସୁସ୍ଥତା ଅନୁଭବ କରିବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରଜନୀକାନ୍ତଙ୍କୁ ହାଇଦ୍ରାବାଦ ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ମଙ୍ଗଳବାର ରଜନୀଙ୍କ କୋଭିଡ ଟେଷ୍ଟ କରାଯାଇଥିବା ବେଳେ ଏହା ନେଗେଟିଭ ଆସିଥିଲା । ରଜନୀଙ୍କ ରକ୍ତଚାପ ନିୟନ୍ତ୍ରଣକୁ ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଆପୋଲୋ ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ରଜନୀଙ୍କ ଶରୀରରେ ଅନ୍ୟ କୌଣସି ଅସୁବିଧା ନାହିଁ ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ ଏକ ବାର୍ତ୍ତା ଜାରି କରାଯାଇଛି । ସେହିପରି ରଜନୀକାନ୍ତଙ୍କ ନାମରେ ଜାରି ହୋଇଥିବା ଭାଇରାଲ ଚିଠି ତାଙ୍କର ନୁହେଁ ବୋଲି ରଜନୀକାନ୍ତ ସ୍ପଷ୍ଟ କରିଛନ୍ତି ।

ଅନ୍ୟପଟେ ରଜନୀକାନ୍ତ ନିଜର ଅପକମିଙ୍ଗ ଫିଲ୍ମ ଆନ୍ନାଥେର ସୁଟିଂ ପାଇଁ ରଜନୀକାନ୍ତ ହାଇଦ୍ରାବାଦରେ ରହିଛନ୍ତି । ତେବେ ୪ ଜଣ କ୍ରୁ ସଦସ୍ୟ କରୋନା ପଜିଟିଭ ହେବାରୁ ଚଳିତ ସପ୍ତାହରେ ଏହି ଫିଲ୍ମର ସୁଟିଂ ସ୍ଥଗିତ ରଖାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ପ୍ୟାନ ଇଣ୍ଡିଆ ଅଭିନେତା ରଜନୀକାନ୍ତ ରାଜନୀତିରେ ଯୋଗ ଦେବା ନେଇ ଘୋଷଣା କରିଥିଲେ । ଆସନ୍ତା ଡିସେମ୍ବର ୩୧ ତାରିଖରେ ନିଜର ରାଜନୈତିକ ଦଳ ଏବଂ ଏହାର ପୋଷ୍ଟର ରିଲିଜ ସମ୍ପର୍କରେ ରଜନୀ ଘୋଷଣା କରିଥିଲେ । ତେବେ ରଜନୀଙ୍କ ଅସୁସ୍ଥତା ପରେ ଏହି କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହେବ କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି ।