କ୍ଲିନ୍‌ ସ୍ୱିପ ଲକ୍ଷ୍ୟରେ ଭାରତ

ମୁମ୍ବାଇ: ଭାରତୀୟ ଦଳ ଦୁଇଟି ମ୍ୟାଚକୁ ଜିତି ଆଗୁଆ ସିରିଜ ହାତେଇଥିବା ଆଜି ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଶେଷ ମ୍ୟାଚ ଖେଳିବ । ପ୍ରଥମ ଦୁଇ ମ୍ୟାଚରେ ଭଲ ପ୍ରଦର୍ଶନ କରି ବିଜୟ ହାସଲ କରିଥିଲା ଭାରତ । ଅନ୍ତିମ ଦିନିକିଆକୁ ଜିତି ସିରିଜ ପୋଛିବା ଲକ୍ଷ୍ୟରେ ରହିଛି ଭାରତ । ଅନ୍ୟପଟେ ସମ୍ମାନ ବଞ୍ଚାଇବାକୁ ଆଜିର ମ୍ୟାଚରେ ଶକ୍ତି ଖଟାଇବ ଶ୍ରୀଲଙ୍କା । ଭାରତୀୟ ଦଳରେ ଷ୍ଟାର ଖେଳାଳି ନଥିଲେ ମଧ୍ୟ ଦଳ ଭଲ ସ୍ଥିତିରେ ରହିଛି । ଦଳରେ ଯୁବ ଓ ଅଭିଜ୍ଞ ଖେଳାଳି ବେଶ ଭଲ ଫର୍ମରେ ରହିଛନ୍ତି । ଆଜିର ମ୍ୟାଚରେ ଭାରତୀୟ ଦଳରେ କିଛି ପରିବର୍ତ୍ତନ ଆସିପାରେ । ପୃଥୀ ଶ’ଙ୍କ ସ୍ଥାନରେ ଅନ୍ୟତମ ଓପନର ଦେବଦତ୍ତ ପାଡିକଲଙ୍କୁ ସୁଯୋଗ ମିଳିପାରେ ।ସେହିପରି ଇଶାନ କିଷନଙ୍କ ସ୍ଥାନରେ ସଞ୍ଜୁ ସାମସନ ଖେଳିପାରନ୍ତି । ବୋଲିଂରେ କୁଳଦୀପ ଯାଦବଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳିପାରେ । ଏହା ସହିତ ଦ୍ୱିତୀୟ ଦିନିକିଆରେ ଚମତ୍କାର ପ୍ରଦର୍ଶନ କରିଥିବା ଦୀପକ ଚହରଙ୍କ ଉପରେ ସମସ୍ତଙ୍କ ନଜର ରହିବ ।