ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । କଟକ ମର୍କତନଗର ଥାନାରୁ ପରିବାରଲୋକେ ପୋଷ୍ଟମର୍ଟମ ରିପୋର୍ଟ ନେଇଛନ୍ତି । ରିପୋର୍ଟରେ ଶରୀରର ୯୫% ଅଂଶ ପୋଡିଯାଇଥିବା ଉଲ୍ଲେଖ ହୋଇଛି । ଶବ ବ୍ୟବଚ୍ଛେଦର ୬ ଘଂଟା ପୂର୍ବରୁ ସୌମ୍ୟଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସେହିପରି ପାକସ୍ଥଳି ଖାଲି ଥିବା ଓ ସେଥିରୁ କୌଣସି ଦୁର୍ଗନ୍ଧ ନଥିବା ଉଲ୍ଲେଖ ରହିଛି । ମୃତଦେହରେ କିରୋସିନ ଗନ୍ଧଥିବାରୁ ସେ କିରୋସିନ ଢାଳି ଆତ୍ମହତ୍ୟା କରିଥିବା ରିପୋର୍ଟରୁ ସନ୍ଦେହ କରାଯାଉଛି ।

ଉଲ୍ଲେଖଥାଉ କି, ଗତ ୧୨ ତାରିଖ ରାତିରେ ସୌମ୍ୟ ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ସରକାରୀ କ୍ୱାର୍ଟରରେ ଥିଲେ । ରାତି ପ୍ରାୟ ୯ଟା ବେଳେ ସୌମ୍ୟଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ଏନେଇ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ ପଡ?ଶୀଙ୍କୁ ସୂଚନା ଦେଇଥିଲେ । ତା’ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ପରେ ତାଙ୍କୁ କଟକର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ୧୩ ତାରିଖ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।