କରୋନା ଆକ୍ରାନ୍ତ ହେଲେ‌ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ଆକ୍ରାନ୍ତ‌ ହୋଇଥିବା ଆଜି ଜଣାପଡ଼ିଛି। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲେଖିଛନ୍ତି, ପ୍ରାରମ୍ଭିକ ଲକ୍ଷଣ ଦେଖାଦେବା କ୍ଷଣି ମୁଁ କୋଭିଡ୍‌-୧୯ ପରୀକ୍ଷା କରାଇବାରୁ ରିପୋର୍ଟ ପଜିଟିଭ୍‌ ଆସିଲା। ମୁଁ ଏକାନ୍ତବାସରେ ରହି ଡାକ୍ତରମାନଙ୍କ ପରାମର୍ଶ ମାନି ଚଳୁଛି। ଏବେ ସମସ୍ତ କାର୍ଯ୍ୟ ‘ଭର୍ଚ୍ୟୁଆଲ୍‌’ ଜରିଆରେ କରୁଛି।

ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କେତେଜଣ କର୍ମଚାରୀ କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା ଜଣାପଡ଼ିବା ପରେ ଯୋଗୀ ଆଦିତ୍ୟନାଥ ଏକାନ୍ତବାସ ଆରମ୍ଭ କରିଥିଲେ। ଏ ସଂକ୍ରାନ୍ତରେ ହିନ୍ଦୀରେ ଟୁଇଟ୍‌ କରି ସେ ଲେଖିଥିଲେ, ମୋ କାର୍ଯ୍ୟାଳୟର କେତେଜଣ କର୍ମଚାରୀ କରୋନାଭାଇରସ୍‌ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଉକ୍ତ ଅଧିକାରୀମାନେ ମୋ ସଂସ୍ପର୍ଶରେ ଆସିଥିବାରୁ ସତର୍କତାର ପଦକ୍ଷେପସ୍ୱରୂପ ମୁଁ ଏକାନ୍ତବାସ କରି ସବୁ କାର୍ଯ୍ୟ ‘ଭର୍ଚ୍ୟୁଆଲ୍‌’ ମାଧ୍ୟମରେ କରୁଛି।