୮୦ଦଶକର ଖେଳ ୨୧ରେ ଶେଷ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ୮୦ ଦଶକରୁ ଗ୍ୟାଙ୍ଗଷ୍ଟର ସେକ ହାଇଦରର ଅପରାଧ ଜଗତରେ ପାଦ ଥାପିଥିଲା । ସମୟକ୍ରମେ ସେ ବନିଯାଇଥିଲା ଉପକୂଳ ଓଡ଼ିଶାର ବାଦଶାହା । ସହଯୋଗୀ ଟିଟୋ, ସୁଲେମାନ ଓ ବାବୁ ସହ ମିଶି ସେ ଉପକୂଳ ଓଡିଶାରେ ହଲଚଲ ସୃଷ୍ଟି କରିଥିଲା । ଶେଷରେ ସେ ପୋଲିସ ଗୁଳିର ଶୀକାର ହୋଇ ମୃତ୍ୟୁବରଣ କଲା ।
କେନ୍ଦ୍ରାପଡା ଉପକଣ୍ଠ ରଣପଡା ଗାଁରେ ଜନ୍ମଗ୍ରହଣ କରିଥିବା ହାଇଦର ୧୯୮୦ ମସିହା ପୂର୍ବରୁ ରିକ୍ସା, ଟ୍ରେକର ଓ ଟ୍ରକ ଚଳାଇ ଜୀବିକା ନିର୍ବାହ କରୁଥିଲା । ଏହି ସମୟରେ ସେ କିଛି ଅପରାଧୀଙ୍କ ସଂସ୍ପର୍ଶରେ ଆସିଥିଲା । ଏପରିକି ଟିଟୋ ସହ ମଧ୍ୟ ପରିଚିତ ହୋଇଥିଲା । ହାଇଦର ଚଳାଉଥିବା ଟ୍ରକ ଓ ଟ୍ରେକରରେ ଟିଟୋ ରବୀନ ଗ୍ୟାଙ୍ଗ ପାଇଁ ଚୋରା ବନ୍ଧୁକ ଓ ମାରଣାସ୍ତ୍ର ନେବା ଆଣିବା କରୁଥିଲା । ପରେ ସେ ଟିଟୋ ସହାୟତାରେ କେନ୍ଦ୍ରାପଡାର ତତକାଳୀନ ଡନ ରବୀନ ଗ୍ୟାଙ୍ଗରେ ସାମିଲ ହୋଇଥିଲା । ରବୀନ ଗ୍ୟାଙ୍ଗରେ ମିଶିବା ପରେ ସେ ହତ୍ୟା ଧମକ, ଦାଦାବଟି ଆଦାୟ ଓ ହତ୍ୟା ଉଦ୍ୟମ ଭଳି ଅପରାଧ ଘଟାଇ ନିଜର ପରିଚୟ ସୃଷ୍ଟି କରିଥିଲା । ସେହି ଗ୍ୟାଙ୍ଗରେ ଥିବା ସୁଲେମାନକୁ ସାମିଲ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଇତି ମଧ୍ୟରେ କୌଣସି କାରଣକୁ ନେଇ ରବୀନ ସହ ତାଙ୍କର ମତାନ୍ତର ହେବାରୁ ଟିଟୋ, ସୁଲେମାନ ଓ ହାଇଦର ତାକୁ ରାସ୍ତାରୁ ହଟାଇ ଦେଇଥିଲେ ।
୧୯୮୦ ମସିହା ବେଳକୁ ସେ ଅପରାଧ ଜଗତକୁ ପ୍ରବେଶ ସହ କୁଖ୍ୟାତ ଅପରାଧୀ ଟିଟୋର ସହଯୋଗୀ ଭାବେ କାମ କଲା । ପରେ ଟିଟୋ, ସୁଲେମାନ ଓ ହାଇଦର ମିଳିମିଶି ଅପରାଧ ସାମ୍ରାଜ୍ୟ ଚଳାଇଥିଲେ । ଗ୍ୟାଙ୍ଗରେ ଗୋଟିକ ପରେ ଗୋଟିଏ ସଦସ୍ୟ ଯୋଡି ସେମାନେ ଶକ୍ତିଶାଳୀ ହୋଇପଡିଥିଲେ । ଏହି ସମୟରେ ସେମାନେ ଉପକୂଳ ଓଡ଼ିଶାରେ ଆତଙ୍କ ସୃଷ୍ଟି କରି ପୋଲିସ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଥିଲେ । ହାଇଦରର ବିନା ଇଙ୍ଗିତରେ କୌଣସି ଅପରାଧ ସଙ୍ଗଠିତ ହେଉ ନ ଥିଲା । ପ୍ରତିଦ୍ୱନ୍ଦ୍ୱୀଙ୍କୁ ହଟାଇବା ପାଇଁ ସେ ନିଜେ ଗୁଳି ଚଳାଇ ହତ୍ୟା କରିଥିଲା । ତା’ ଆତଙ୍କରେ କେନ୍ଦ୍ରାପଡା, ଜଗତସିଂହପୁର, ପାରାଦ୍ୱୀପ, ଯାଜପୁର, ଜଗତପୁର ଶିଳ୍ପାଂଚଳ, କଟକ ଏପରିକି ରାଜ୍ୟର ଅନ୍ୟ କେତେକ ଜିଲା ଆତଙ୍କିତ ଥିଲା । ଜେଲରେ ଥାଇ ମଧ୍ୟ ସେ ଟେଣ୍ଡର ଫିକ୍ସିଂ, ଦାଦା ବଟି ଆଦାୟ, ବ୍ୟବସାୟୀଙ୍କୁ ହତ୍ୟା ଧମକ ଦେଉଥିଲା ।

ପରେ ଟିଟୋ ଓ ହାଇଦର ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ଗ୍ୟାଙ୍ଗୱାର ଆରମ୍ଭ ହୋଇଥିଲା । ହାଇଦର ଓ ସୁଲେମାନ ଗୋଟିଏ ପଟେ ଥିବା ବେଳେ ଟିଟୋ ଗୋଟିଏ ଗ୍ୟାଙ୍ଗର ମଙ୍ଗୁଆଳ ସାଜିଥିଲା । କିଛିଦିନ ପରେ ଟେଣ୍ଡର ଫିକ୍ସିଂ, ଦାଦାବଟି ଆଦାୟ କରି ସେକ୍ ହାଇଦର କୋଟିପତି ହୋଇଯାଇଥିଲା । ସେ ଗ୍ୟାଙ୍ଗ ମଙ୍ଗୁଆଳ ଥିବାରୁ ଅନ୍ୟ ସଦସ୍ୟମାନଙ୍କୁ ଠିକରେ ଭାଗ ଦେଉନଥିଲା । ଫଳରେ ଗ୍ୟାଙ୍ଗର ସାର୍ଫ ସୁଟର ସୁଲେମାନ, ବିଜୟ ନାୟକ ଓ ବାବୁ ତାକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ । ହାଇଦରର ଏକଚାଟିଆ କାରବାରକୁ ସହ୍ୟ କରି ନ ପାରି ଗ୍ୟାଙ୍ଗର ସଦସ୍ୟମାନେ ୨୦୦୪ରେ ତାକୁ ହତ୍ୟା ଉଦ୍ୟମ କରିଥିଲେ । ଭୁଜାଲି ଚୋଟରେ ଶରୀରରେ ୧୦ରୁ ଅଧିକ ଗଭୀର କ୍ଷତ ସୃଷ୍ଟି ହେବା ସହ ତା’ର ୩୨ ଦାନ୍ତ ଝଡି ପଡିଥିଲା । ସେ ମରିଗଲା ଭାବି ସୁଲେମାନର ସହଯୋଗୀମାନେ ସେଠାରେ ତାକୁ ଫିଙ୍ଗି ପଳାଇଥିଲେ । ହେଲେ ସେ ବଂଚିି ଯାଇଥିଲା । ଏହା ପରେ ହାଇଦର ଓ ସୁଲେମାନ ମଧ୍ୟରେ ଫାଟ ସୃଷ୍ଟି ହେବାରୁ କେନ୍ଦ୍ରାପଡାରେ ୩ଟି ଗ୍ୟାଙ୍ଗ ସୃଷ୍ଟି ହୋଇଥିଲା । ଏହା ଫଳରେ ଶକ୍ତିଶାଳୀ ଗ୍ୟାଙ୍ଗ ୨୦୦୫ ମସିହା ବେଳକୁ ଭାଗ ଭାଗରେ ବିଭକ୍ତ ହୋଇଯାଇଥିଲା । ବିଭିନ୍ନ ଠିକାକାମକୁ ନେଇ ସେମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବା ଫଳରେ ଗ୍ୟାଙ୍ଗୱାର ସୃଷ୍ଟି ହେଲା । ଫଳରେ ଉଭୟ ପକ୍ଷରୁ ୧୧ରୁ ଅଧିକ ମୁଣ୍ଡ ଗଡିଲା ।
ହାଇଦରକୁ ହତ୍ୟା ଉଦ୍ୟମ କରିବା ପରେ ସୁଲେମାନ ତାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ପାଲଟି ଯାଇଥିଲା । ସେକ୍ ସୁଲେମାନ ମୁଖ୍ୟ ପ୍ରତିଦ୍ୱିନ୍ଦୀ ଥିବାରୁ ତାହାର ସାନ ଭାଇ ସେକ୍ ଚୁନାକୁ ହତ୍ୟା କରିବାକୁ ଯୋଜନା କରାଯାଇଥିଲା ।୨୦୦୫ରେ ମେ’ ୩୧ରେ ଷ୍ଟୁଆର୍ଟ ସ୍କୁଲ ଛକ ନିକଟରେ ଥିବା ଏକ ଟାୟାର ଦୋକାନରେ ବସିଥିବା ବେଳେ ହାଇଦର ଏବଂ ତା’ର ସହଯୋଗୀ ଏକ ବୋଲେରୋ ଗାଡ଼ିରେ ଆସି ଗୁଳି କରି ହତ୍ୟା କରିଥିଲେ । ସେହିବର୍ଷ ପୋଲିସ ତାକୁ ନାଗପୁରରୁ ଗିରଫ କରିଥିଲା । ଏହି ମାମଲାରେ ସେ ଆଜୀବନ ସଜ୍ଜା ପାଇଥିଲା ।
ହେଲେ ଜେଲରେ ରହି ବି ସବୁ ପ୍ରକାର ଅପରାଧ ଚଳାଇବାରେ ସଫଳ ହେଉଥିଲା । ଏମିତିକି ଭୁବନେଶ୍ୱର ଝାରପଡ଼ା ଜେଲରେ ଥାଇ ବି ୨୦୦୭ରେ କେନ୍ଦୁଝର ଖଣି ଓ କ୍ରସର ବ୍ୟବସାୟୀ ରଶ୍ମୀରଞ୍ଜନ ମହାପାତ୍ରଙ୍କୁ ଅପରହଣ କରି ହାଇଦର ଗ୍ୟାଙ୍ଗ ଟଙ୍କା ମାଗିଥିଲେ । ପରେ ରଶ୍ମୀରଞ୍ଜନଙ୍କୁ ହତ୍ୟା କରାଯାଇଥିଲା ଏ ମାମଲାରେ ବି ହାଇଦର ଆଜୀବନ ଜେଲଦଣ୍ଡ ପାଇଥିଲା । ସେହିପରି ଜେଲରେ ଥିବା ବେଳେ ସୁଲେମାନକୁ ହତ୍ୟା କରାଯାଇଥିଲା । ବିଜୟ ନାୟକ ତାକୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲା । ଏହା ପଛରେ ହାଇଦର ଓ ଟିଟୋର ସହଯୋଗ ଥିବା ମଧ୍ୟ ଚର୍ଚ୍ଚା ହେଉଥିଲା । ହେଲେ ଏହି ଘଟଣାରେ ପୋଲିସକୁ କୌଣସି ପ୍ରମାଣ ମିଳିନଥିଲା । ତେବେ ଆଜୀବନ ସଜ୍ଜା କାଟୁଥିବା ବେଳେ ସେ ପୋଲିସ ହେପାଜତକୁ ଖସିଯିବାକୁ ଚେଷ୍ଠା କରିଥିଲା । ଶେଷରେ ପୋଲିସ ଗୁଳିରେ ସେ ନିହତ ହେଲା । ହାଇଦର ମୃତ୍ୟୁ ପରେ କେନ୍ଦ୍ରାପଡା ଅପରାଧ ଜଗତ ସ୍ତବ୍ଧ ହୋଇଯାଇଥିବା ବେଳେ ଲୋକେ ଆସ୍ୱସ୍ତି ପ୍ରକାଶ କରିଛନ୍ତି ।