ପୁରୀ ମାଉସୀ ମା’ମନ୍ଦିର ହୁଣ୍ଡିରୁ ୩୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

 ପୁରୀ,(ଏସ୍ ନ୍ୟୁଜ): ପୁରୀ ମାଉସୀ ମା ମନ୍ଦିରରୁ ଚୋରି ହୋଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାଉସୀ ଘର କୁହାଯାଇଥିବା ମାଉସୀ ମା’ ମନ୍ଦିରରେ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ । ବଡ଼ଦାଣ୍ଡର ବଳଗଣ୍ଡିଠାରେ ଥିବା ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟର ତାଲା କାଟି ତା’ ଭିତ‌ରେ ପଶି ଦୁର୍ବୃତ୍ତମାନେ ଚୋରି କରିଛନ୍ତି ବୋଲି ସୂଚନା ରହିଛି।

କେବଳ ସେତିକି ନୁହେଁ, ପୁଣି ଭିତରେ ୩ ଟି ତାଲା କାଟି ସେମାନେ ମୁଖ୍ୟ ମନ୍ଦିରରେ ପ୍ରବେଶ କରିଛନ୍ତି। ମନ୍ଦିର ହୁଣ୍ଡି ଭାଙ୍ଗି ପ୍ରାୟ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି। ସେହିପରି ଭିତର ଆଲମାରୀ ଭାଙ୍ଗି ମାଆଙ୍କ ରୁପା ଅଳଙ୍କାର ଓ ଦାତା ଦେଇଥିବା ଶାଢ଼ି ଚୋରି କରିନେଇଥିବା ଜଣାପଡ଼ିଛି । କୁମ୍ଭାରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ପୁରୀ ବଡ଼ଦାଣ୍ଡ ଉପରେ ଏଭଳି ଚୋରି, ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନଚିହ୍ନ ଲଗାଇ ଦେଇଛି।