କରୋନା ସଂକ୍ରମଣରେ କେବଳ ଦିଲ୍ଲୀରେ ୭୯୧ ଜଣ ମହିଳା ବିଧବା ହୋଇଛନ୍ତି: କେନ୍ଦ୍ର ମହିଳା କମିସନ

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ କେବଳ ଦିଲ୍ଲୀରେ ୭୯୧ ଜଣ ମହିଳା ବିଧବା ହୋଇଛନ୍ତି । କେନ୍ଦ୍ର ମହିଳା କମିସନଙ୍କ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ଜଣାପଡିଛି । ଦିଲ୍ଲୀ ସରକାରଙ୍କୁ ଏହି ରିପୋର୍ଟ ପ୍ରଦାନ କରି ସେମାନଙ୍କୁ ଥଇଥାନ କରିବା ପାଇଁ କମିସନ ପକ୍ଷରୁ ଅନୁରୋଧ କରାଯାଇଛି । ପତିଙ୍କୁ ହରାଇଥିବା ଏହି ମହିଳାମାନେ ଥଇଥାନ ମାଧ୍ୟମରେ ସରକାରଙ୍କୁ କିଭଳି ସହଯୋଗ କରିପାରିବେ ସର୍ଭେ ରିପୋର୍ଟରେ ମଧ୍ୟ ଉଲ୍ଲେଖ କରାଯାଇଛି । କେନ୍ଦ୍ର ମହିଳା କମିସନର ମହିଳା ପଞ୍ଚାୟତ ଟିମ ଘରକୁ ଘର ବୁଲି କୋଭିଡରେ ସ୍ୱାମୀଙ୍କୁ ହରାଇଥିବା ମହିଳାମାନଙ୍କ ସ୍ଥିତି ସମ୍ପର୍କରେ ସର୍ଭେ କରିଥିଲେ ।

ରିପୋର୍ଟରୁ ଜଣାପଡିଛି ଯେ, କରୋନା ଯୋଗୁଁ ବିଧବା ହୋଇଥିବା ୭୯୧ ମହିଳାଙ୍କ ମଧ୍ୟରୁ ୭୨୧ ଜଣ ଗୃହିଣୀ ହୋଇଥିବାବେଳେ ଅବଶିଷ୍ଟ ଘରୋଇ ସହାୟିକା, ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ ଏବଂ ବେସରକାରୀ କର୍ମଚାରୀ । ସେମାନଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ । ତେଣୁ ସେମାନଙ୍କୁ ଥଇଥାନ କରିବା ପାଇଁ ଦିଲ୍ଲୀ ସରକାର ଯୋଜନା କରନ୍ତୁ ବୋଲି କମିସନ କହିଛନ୍ତି । ଅନ୍ୟପକ୍ଷରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ କୋଭିଡରେ ମୁଖ୍ୟମନ୍ତ୍ରୀ କୋଭିଡ-୧୯ ପରିବାର ଆର୍ଥିକ ସହାୟତା ଯୋଜନା ଘୋଷଣା କରାଯାଇଛି । ଏହି ଯୋଜନାରେ କୋରାନାରେ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ଆଥିର୍କ ସହାୟତା ଦିଆଯିବା ସହ ମୃତକ ପରିବାର ଏକମାତ୍ର ରୋଜଗାରକ୍ଷମ ଥିଲେ ତାଙ୍କ ପରିବାର ସଦସ୍ୟଙ୍କୁ ମାସିକ ୨,୫୦୦ ଟଙ୍କା ପେନସନ ମିଳିବ ।