ଭାରତ ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ଆଜି

(ଏସ୍ ନ୍ୟୁଜ): ଆଜି ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ଦିନିକିଆରେ ବିଜୟୀ ହୋଇପାରିଲେ କୋହଲି ବାହିନୀ କେବଳ ଶୃଙ୍ଖଳା ଜିତିବନି ଶକ୍ତିଶାଳୀ ଇଂଲଣ୍ଡକୁ ମୂଳପୋଛ ବି କରିପାରିବ । କାରଣ ପୂର୍ବରୁ ଖେଳାଯାଇଥିବା ଟେଷ୍ଟ୍ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ନିଜ ନାଁରେ କରି ନେଇଛି ଟିମ୍ ଇଣ୍ଡିଆ। ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର ଆହତ ହୋଇ ‌ଶେଷ ଦୁଇ ଦିନିକିଆରୁ ବାଦ୍ ପଡ଼ିବା ପରେ ନିକଟରେ ଟ୍ବେଣ୍ଟି-୨୦ ପଦାର୍ପଣ କରିଥିବା ମୁମ୍ବାଇର ପ୍ରତିଭାବାନ ଖେଳାଳି ସୂର୍ଯ୍ୟକୁମାର ଯାଦବ ଆସନ୍ତାକାଲି ହିଁ ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟ୍ ଜୀବନ ଆରମ୍ଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ପ୍ରଥମ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଦୁଇ ନବାଗତ ତାରକା କ୍ରୁନାଲ ପାଣ୍ଡ୍ୟା ଓ ପ୍ରସିଦ୍ଧକୃଷ୍ଣ ମଧ୍ୟ ପୁଣି ଥରେ ସୁ‌ଯୋଗ ପାଇବେ । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ଫର୍ମକୁ ଫେରି ସାରିବାର ସଙ୍କେତ ପ୍ରଥମ ମ୍ୟାଚ୍‌ରେ ଦେଇ ସାରିଛନ୍ତି । ରୋହିତ ଶର୍ମାଙ୍କ କହୁଣୀରେ ଆଘାତ ଲାଗିବା ପରେ ପ୍ରଥମ ମ୍ୟାଚ୍‌ର ଇଂଲଣ୍ଡ ପାଳିରେ ସେ କ୍ଷେତ୍ରରକ୍ଷଣ କରି ପାରି ନଥିଲେ । ତେବେ ଶୁକ୍ରବାର ମ୍ୟାଚ୍‌ ଲାଗି ସେ ସୁସ୍ଥ ଥିବାର ସଙ୍କେତ ମିଳିଛି । ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବଙ୍କ ସ୍ଥାନ କିନ୍ତୁ ଲେଗ୍‌ସ୍ପିନର ୟୁଜବେନ୍ଦ୍ର ଚହଲ ନେଇ ପାରନ୍ତି ।