ଆଇପିଏଲ୍ ମ୍ୟାଚ: ଆଜି ମୁମ୍ବାଇ-ଦିଲ୍ଲୀ ଫାଇନାଲ୍‌ ଫାଇଟ୍

ଆବୁଧାବି: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିସାରିଛି। ୫୨ ଦିନର ରୋମାଞ୍ଚକର ମୁକାବିଲା ପରେ ଆଜି ଟାଇଟଲ୍ ଲଢ଼େଇରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ। ଆଇପିଏଲରେ ମୁମ୍ବାଇ ତା’ର ପଞ୍ଚମ ଟାଇଟଲ୍‌ ଲକ୍ଷ୍ୟରେ ଥିବା ବେଳେ ଦିଲ୍ଲୀ ଟିମ୍ ପ୍ରଥମଥର ଟ୍ରଫିକୁ ହାତେଇକୁ ପ୍ରୟାସ କରିବ।

ତେବେ ସବୁଠାରୁ ସଫଳ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ନଜର ଆଇପିଏଲର ପଞ୍ଚମ ଟାଇଟଲ୍‌ ଉପରେ ରହିଛି। ସେହିପରି ଗତ ୧୨ଟି ସଂସ୍କରଣରେ ଝୁଣ୍ଟିବା ପରେ ପ୍ରଥମଥର ଦିଲ୍ଲୀ ଟାଇଟଲ୍ ଲଢ଼େଇରେ ପହଞ୍ଚିଛି। ଚଳିତ ସଂସ୍କରଣରେ ମୁମ୍ବାଇ ଏପର୍ଯ୍ୟନ୍ତ ୧୫ଟି ମ୍ୟାଚରୁ ୧୦ଟି ବିଜୟ ଲାଭ କରିଥିବା ବେଳେ ଦିଲ୍ଲୀ ୧୬ଟିରୁ ୯ଟି ମୁକାବିଲା ଜିତିଛି।

ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇର ବ୍ୟାଟ୍ସମ୍ୟାନମାନେ ୧୩୦ ଛକା ମାରିଥିବା ବେଳେ ଦିଲ୍ଲୀ ୮୪ ଛକା ମାରିଛି। ବିଶେଷକରି କ୍ୱିଣ୍ଟନ୍ ଡି’କକଙ୍କ ପ୍ରଦର୍ଶନ ପ୍ରଶଂସାଯୋଗ୍ୟ ରହିଛି।ସେହିପରି କ୍ୟାପଟେନ୍ ରୋହିତ୍ ହାମଷ୍ଟ୍ରିଙ୍ଗ ଇଞ୍ଜୁରୀକୁ ନେଇ ସମସ୍ତ ଆଶଙ୍କାକୁ ଭୁଲ୍ ପ୍ରମାଣିତ କରି ଦମଦାର କ୍ୟାପଟେନଶିପ୍ କରିଛନ୍ତି।ଇଶାନ୍ କିଷନ ୨୯ ଛକା ମାରି ସାରିଛନ୍ତି।ସୂର୍ଯ୍ୟକୁମାର ଯାଦବ ଯେଉଁଭଳି ଭାବେ ବ୍ୟାଟିଂ କରିନ୍ତି, ତାହା ସମସ୍ତଙ୍କୁ ପ୍ରଭାବିତ କରିଛି। ଏପର୍ଯ୍ୟନ୍ତ ସେ ୬୦ ଚୌକା ଓ ୧୦ ଛକା ମାରିଛନ୍ତି। ଖାଲି ବ୍ୟାଟିଂ ନୁହେଁ, ଟିମର ବୋଲିଂ ବିଭାଗ ମଧ୍ୟ ବେଶ ମଜଭୁତ୍। ଯଶପ୍ରୀତ ବୁମ୍ରା ଓ ଟ୍ରେଣ୍ଟ ବୋଲ୍ଟଙ୍କ ଭଳି ଶୀର୍ଷସ୍ତରୀୟ ବୋଲିଂ ଆଟାକ୍ କୌଣସି ବ୍ୟାଟିଂଲାଇନକୁ ଧୂଳି ଚଟାଇବାରେ ମାହିର୍। ଦୁହିଁଙ୍କୁ ତୃତୀୟ ପେସର ଭାବେ ନେଥନ୍ କୁଲ୍ଟର-ନାଇଲ୍ ଏବଂ ସ୍ପିନ୍ ଯୋଡ଼ି କୃନାଲ୍ ପାଣ୍ଡ୍ୟା ଓ ରାହୁଲ୍ ଚହର୍ ଭରପୂର ସହଯୋଗ କରିଛନ୍ତି।

ଅନ୍ୟପଟେ ଦିଲ୍ଲୀର ପାଇଁ ବୋଲିଂ ହେଉଛି ମୁଖ୍ୟ ଅସ୍ତ୍ର। କାଗିସୋ ରବାଡା ଓ ଆନରିଚ୍ ନର୍ଜେଙ୍କ ଦୁଇ ଟପ୍ କ୍ଲାସ୍ ବୋଲର ମୁମ୍ବାଇ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି। ଦୁହେଁ ମଧ୍ୟ ଜବରଦସ୍ତ ଫର୍ମରେ ଅଛନ୍ତି। ଦିଲ୍ଲୀ ପାଇଁ ଶିଖର ଧୱନ୍ ୬୦୦ରୁ ଅଧିକ ରନ୍ କରିସାରିଛନ୍ତି। ୨ୟ କ୍ୱାଲିଫାୟର ମ୍ୟାଚରେ ଦିଲ୍ଲୀ ତା’ର ଟପ୍ ଅର୍ଡର ବ୍ୟାଟିଂ ଲାଇନରେ ପରିବର୍ତ୍ତନ କରିଥିଲା। ମାର୍କସ୍ ଷ୍ଟୋଇନିସ୍ ଓପନ୍ କରିବା ପରେ ଦିଲ୍ଲୀର ବ୍ୟାଟିଂ ମଜଭୁତ୍ ହୋଇଛି।

ଚଳିତ ସିଜନରେ ଉଭୟ ଦଳ ମଧ୍ୟରେ ତିନୋଟି ମ୍ୟାଚ୍ ଖେଳାଯାଇଛି। ଯେଉଁଥିରୁ ମୁମ୍ବାଇ ତିନୋଟି ଯାକ ମୁକାବିଲାରେ ଏକତରଫା ବିଜୟ ହାସଲ କରିଛି। ମୁମ୍ବାଇ ପ୍ରଥମ କ୍ୱାଲିଫାୟରରେ ଦିଲ୍ଲୀକୁ ଶୋଚନୀୟ ଭାବେ ହରାଇଥିଲା। ତେଣୁ ଫାଇନାଲ୍‌ ମୁକାବିଲା ଦିଲ୍ଲୀ ବିପର୍ଯ୍ୟୟ ଘଟାଉଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା।