ଟ୍ୱିଟର୍‌ ବିନୟ ପ୍ରକାଶଙ୍କୁ ନିଯୁକ୍ତ କଲା

ନୂଆଦିଲ୍ଲୀ : ଶେଷରେ ବାଟକୁ ଆସିଛି ଟ୍ୱିଟର୍‌ । ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ପକ୍ଷରୁ ବିନୟ ପ୍ରକାଶଙ୍କୁ ଭାରତରେ ନିଜର ଆବାସିକ ଅଭିଯୋଗ ଅଧିକାରୀ (ରେସିଡେଣ୍ଟ ଗ୍ରେଭାନ୍ସ ଅଫିସର ବା ଆରଜିଓ) ନିଯୁକ୍ତ କରିଥିବା ଘୋଷଣା କରିଛନ୍ତି । ଟ୍ୱିଟର୍‌ ଇଣ୍ଡିଆର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ ୟୁଜରମାନେ ନିଜର ଅଭିଯୋଗ ବିନୟ ପ୍ରକାଶଙ୍କୁ ଜଣାଇପାରିବେ । ବିନୟ ପ୍ରକାଶଙ୍କ ସହ ଯୋଗାଯୋଗ କରିବାକୁ କମ୍ପାନି ପକ୍ଷରୁ ନିଜର ବେଙ୍ଗାଲୁରୁ ଡିକେନସନ ରୋଡସ୍ଥିତ ଅଫିସର ଠିକଣା ଓ ଏକ ଇମେଲ ଆଇଡି ପ୍ରଦାନ କରାଯାଇଛି । କମ୍ପାନି ମଧ୍ୟ ମେ’ ୨୬ରୁ ଜୁନ ୨୫ ପର୍ୟ୍ୟନ୍ତ ନିଜର କମ୍ପ୍ଲାଏନସ ରିପୋର୍ଟ ଦାଖଲ କରିଛି । ନୂଆ ସୂଚନା ପ୍ରଯୁକ୍ତି ଆଇନ ଅନୁସାରେ ସୋସିଆଲ ମିଡିଆ କମ୍ପାନିମାନଙ୍କ ପାଇଁ ଏହା କରିବା ବାଧ୍ୟତାମୂଳକ । ନୂଆ ଆଇଟି ନିୟମ ଅନୁସାରେ ସୋସିଆଲ ମିଡିଆ କମ୍ପାନିମାନେ ଚିଫ୍‌ କମ୍ପ୍ଲାଏନ୍ସ ଅଫିସର, ନୋଡାଲ ଅଫିସର ଓ ଆବାସିକ ଅଭିଯୋଗ ଅଧିକାରୀ ନିଯୁକ୍ତ କରିବା ବାଧ୍ୟତାମୂଳକ କରାଯାଇଛି ।