ଲଗାତର ତୃତୀୟ ଥର ପାଇଁ ରେପୋ ଏବଂ ରିଭର୍ସ ରେପୋ ହାର ଅପରିବର୍ତ୍ତିତ

ନୂଆଦିଲ୍ଲୀ: ଲଗାତର ତୃତୀୟ ଥର ପାଇଁ ରୋପୋ ରେଟ୍ ଏବଂ ରିଭର୍ସ ରେପୋ ରେଟକୁ ଆରବିଆଇ ଅପରିବର୍ତ୍ତିତ ରଖିଛି। ଆଜି ସକାଳେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏମପିସି ବା ମୁଦ୍ରା ନୀତି କମିଟି ବୈଠକ କରିଥିଲେ। ରେପୋ ଓ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ ରହିବ ବୋଲି ଆରବିଆଇ ନିଷ୍ପତ୍ତି ନେଇଥିବା ଏହି ବୈଠକ ସୂଚନା ଦେଇଛନ୍ତି। ଏବେ ରେପୋ ରେଟ୍ ୪ ପ୍ରତିଶତ ରହିଥିବା ବେଳେ ରିଭର୍ସ ରେପୋ ରେଟ୍ ୩.୫ ପ୍ରତିଶତ ରହିଛି। ଚଳିତ ଆର୍ଥିକ ବର୍ଷରେ ଏହାର ପ୍ରଥମ ବୈଠକ ଏପ୍ରିଲରେ, ଦ୍ୱିତୀୟ ବୈଠକ ଜୁନରେ ଓ ତୃତୀୟ ବୈଠକ ଅଗଷ୍ଟରେ ବସିଛି। ଏପ୍ରିଲ ପାଖରୁ ଏହି ରେପୋ ଓ ରିଭର୍ସ ରେପୋ ରେଟ୍ ରହିଛି।

ଚଳିତ ଆର୍ଥିକ ବର୍ଷ (୨୦୨୧-୨୨)ରେ ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ) ମୁଦ୍ରାସ୍ଫୀତି ୫.୭ ପ୍ରତିଶତ ରହିବ ବୋଲି ଆକଳନ କରିଛି ଆରବିଆଇ। ଦ୍ୱିତୀୟ ତ୍ରୟ ମାସରେ ୫.୯ ପ୍ରତିଶତ, ତୃତୀୟ ତ୍ରୟ ମାସରେ ୫.୮ ପ୍ରତିଶତ ଏବଂ ଚତୁର୍ଥ ତ୍ରୟ ମାସରେ ଏହା ୫.୮ ପ୍ରତିଶତ ରହିବ ବୋଲି ସେ ଆକଳନ କରିଛନ୍ତି।
ସେହିପରି ଦରଦାମ ନିୟନ୍ତ୍ରଣ ପାଇଁ ସରକାର ଚାହିଦା ଏବଂ ଯୋଗାଣ ଉପରେ ସନ୍ତୁଳନ ରକ୍ଷା କରିବା ଦରକାର ବୋଲି ସେ କହିଛନ୍ତି। ଯଦି ସନ୍ତୁଳନ ରହିପାରିବ ତାହେଲେ ଯାଇ ଦରଦାମ ବୃଦ୍ଧି ଉପରେ ଅଙ୍କୁଶ ଲଗାଇ ହେବ। ସେହିପରି ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୯.୫ ପ୍ରତିଶତ ରହିବ ବୋଲି ଆରବିଆଇ ଆକଳନ କରିଛି ।