ମହିଳାଙ୍କୁ ବ୍ଲାକମେଲିଂ କରି ଦୁଇ ଗିରଫ

ଲଖନପୁର: ଲଖନପୁର ଥାନାଞ୍ଚଳର ଜଣେ ମହିଳାଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଳାଣ କରିଛି । ଯୁବକ ଦ୍ୱୟ ହେଲେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଭୋଇପାଲି ଗ୍ରାମର ଚନ୍ଦ୍ରମଣି ମେହେର ଓରଫ ବବୁଲୁ ଓ ତାର ସାଙ୍ଗ ସୂରଜ ଗୌଡ଼ ଓରଫ ମଣ୍ଟୁ । ସୂରଜ ସୁନ୍ଦରଗଡ଼ ଥାନାରେ ହୋମଗାର୍ଡ ଭାବେ କାମ କରୁଥିଲା ବୋଲି ଥାନାଧିକାରୀ ଦୁଃଖିନ୍ଦ୍ର ସାହୁ ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ ମହିଳା ଜଣକ ବିବାହ ପୂର୍ବରୁ ଟିଆରଏଲ ଆରସେଟିରେ ୬ ମାସ ଟ୍ରେନିଂ ନେବା ସମୟରେ ଚନ୍ଦ୍ରମଣି ସହ ପରିଚୟ ହୋଇଥିଲା । ସେମାନଙ୍କ ମଧ୍ୟରେ ବନ୍ଧୁତ୍ୱ ବଢ଼ିଯାଇଥିଲା । ଏହାମଧ୍ୟରେ ତାଙ୍କର ବିବାହ ଲଖନପୁର ଥାନାଞ୍ଚଳରେ ହୋଇସାରିଛ । ଏହା ଜାଣିବା ପରେ ଚନ୍ଦ୍ରମଣି ୩ ମାସ ଆଗରୁ ମହିଳାଙ୍କ ଦିଅରର ମୋବାଇଲକୁ ଫୋନ୍‌ କରି ୭ଲକ୍ଷ ଟଙ୍କା ନଦେଲେ ତା’ ପାଖରେ ଥିବା ଅଶ୍ଳୀଳ ଭିଡିଓ ଭାଇରାଲ କରିଦେବାର ଧମକ ଦେଇଥିଲା । ମହିଳାଙ୍କ ଦିଅର ଲଖନପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା ।

ଗତ ଶନିବାର ଦିନ ଚନ୍ଦ୍ରମଣି ମହିଳାଙ୍କ ବାପାକୁ ଫୋନ କରି ଟଙ୍କା ମାଗିବା ସହ ଭିଡିଓ ଭାଇରାଲ କରିବାର ଧମକ ଦେଇଥିଲା । ପରେ ସାଙ୍ଗ ସୂରଜ ସହ ତାଙ୍କ ଘରକୁ ଆସିଥିଲା । ମହିଳାଙ୍କ ବାପା ପାଖରେ ଟଙ୍କା ନଥିବା କହି ଆସନ୍ତାକାଲି ଲଖନପୁର ସ୍ଥିତ ବ୍ୟାଙ୍କରୁ ଟଙ୍କା ବାହାର କରି ଦେବାକୁ କହିବାରୁ ସେମାନେ ଚାଲି ଯାଇଥିଲେ । ପରେ ଏନେଇ ମହିଳାଙ୍କ ବାପା ଲଖନପୁର ଥାନାକୁ ସମସ୍ତ ଘଟଣା ଜଣାଇଥିଲେ । ପୂର୍ବ ଯୋଜନା ମୁତାବକ ମହିଳାଙ୍କ ବାପା ଲଖନପୁର ବ୍ୟାଙ୍କ ନିକଟକୁ ଆସିବା ପରେ ଚନ୍ଦ୍ରମଣି ଓ ସୂରଜ ମଧ୍ୟ ଆସିଥିଲେ । ପୂର୍ବରୁ ଛକି ରହିଥିବା ପୁଲିସ୍‌ ଉଭୟଙ୍କୁ ଧରିବା ସହ କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ପ୍ରକାଶ କରିଛନ୍ତି ।