ମୟୂର ପୁଚ୍ଛ

ଭଗବାନ ଶ୍ରୀରାମଙ୍କର ବନବାସ କାଳର କଥା। ବନବାସ କାଳରେ ଥରେ ମା ସୀତା ଙ୍କୁ ଶୋଷ ଲାଗିଲା।
ଗହଳ ବଣରେ କେଉଁ ଠାରେ ପାଣି ନାହିଁ। ରାମଚନ୍ଦ୍ର ମହାପ୍ରଭୁ ପାଣି ଖୋଜିଲେ, କୋଉଠି ପାଣି ନାହିଁ, ଖାଲି ଜଙ୍ଗଲ ହିଁ ଜଙ୍ଗଲ।। ରାମଙ୍କ ମନ ଦୁଃଖ ହେଲା।ସେ କାତର ହୋଇ ନିବେଦନ କଲେ, ହେ ବନଦେବତା, ଦୟାକରି ମୋତେ ବତାଇଦିଅ, କେଉଁଠାରେ ପାଣି ମିଳିବ? ବାଟ ଦେଖାଇଦିଅ।ସୀତା ମା ଙ୍କର ଶୋଷ ବେଳକୁ ବେଳ ବଢିଲା। ଏଭଳି ଏକ ବିକଳ ସମୟରେ ଗୋଟିଏ ମୟୂର ପକ୍ଷୀ ଆସିଲା। ସେ ଶ୍ରୀରାମ ଙ୍କୁ କହିଲା, ପ୍ରଭୁ, ମୁଁ ଆପଣଙ୍କୁ ପାଣି ପାଇଁ ବାଟ ଦେଖାଇଦେବି। କିଛି ଦୂରରେ ଜଳାଶୟ ଟିଏ ଅଛି। ପ୍ରଭୁ ମୁଁ ଆଗେ ଆଗେ ଯିବି, ଆପଣ ମୋ ପଛେ ପଛେ ଯିବେ। କିନ୍ତୁ ଟିକେ ଅସୁବିଧା ଅଛି। ରାମ କହିଲେ, ଅସୁବିଧା କ’ଣ? ମୟୂର କହିଲା, ମୁଁ ଉଡ଼ି ଉଡ଼ି ଯିବି, ଆପଣ ଚାଲି ଚାଲି ଯିବେ, ବାଟ ବଣା ହେବାର ସମ୍ଭାବନା ଅଛି। ଏଣୁ ମୁଁ ଉଡ଼ି ଉଡ଼ି ଗଲାବେଳେ ଗୋଟିଏ ଲେଖାଏଁ ପର ଝାଡି ଯିବି, ଆପଣ ସେହି ପରକୁ ଅନୁସରଣ କରି ଚାଲିବେ।

ମୟୂରଙ୍କ ପର ଝଡ଼ିବାର ଏକ ବିଶେଷ ଋତୁ, ବିଶେଷ ଦିନ ଅଛି। ତାହା ଅସମୟରେ ଇଛା ଅନୁସାରେ ଝଡେ ନାହିଁ। ଯଦି ମୟୂର ଇଛାରେ ଅଦିନିଆ ପର ଝାଡେ, ତା’ର ମୃତ୍ୟୁ ହେବା ନିଶ୍ଚିତ। ଏକଥା ଜାଣି ମଧ୍ୟ ମୟୂରଟି ପର ଝାଡି ଝାଡି ଆକାଶରେ ଉଡି ଉଡି ଗଲା।

ପ୍ରଭୁ ରାମଚନ୍ଦ୍ର ମୟୂର ପୁଚ୍ଛକୁ ଅନୁସରଣ କରି କରି ଚାଲିଲେ। ଜଳାଶୟ ନିକଟରେ ପହଞ୍ଚିଲେ। କିନ୍ତୁ ସେତେବେଳକୁ ମୟୂରଟିର ଅବସ୍ଥା ଭଲ ନଥିଲା। ମୃତ୍ୟୁର ଦ୍ୱାରରେ ପହଞ୍ଚି ଥିଲା। ମୟୂରଟି ଶେଷ ନିଃଶ୍ୱାସ ନେବା ବେଳେ ଭାବୁଛି, ସେ କେଡ଼େ ଭାଗ୍ୟବାନ, କି ଯେ ଜଗତର ଶୋଷ ମେଣ୍ଟାଇବାବାଲା, ସେପରି ପ୍ରଭୁଙ୍କ ତୃଷା ନିବାରଣ ରେ ସାହାଯ୍ୟ କରିବାର ସୁଯୋଗ ତାକୁ ମିଳିଲା। ଭାବିଲା, ମୋର ଜୀବନ ଧନ୍ୟ ହୋଇଗଲା। ଆଉ ଜୀବନ ରେ କିଛି ଶେଷ ଇଛା ନାହିଁ। ଆଉ କିଛି ସମୟ ପରେ ମୟୂର ମରିବ।
ଭଗବାନ ଶ୍ରୀରାମ କହିଲେ, ମୟୂର ତୋର ପୁଚ୍ଛକୁ ଝାଡି ଝାଡି ତୁ ମୋର ଯେଉଁ ଉପକାର କଲୁ, ଶେଷରେ ଜୀବନ ଦେଲୁ, ମୋତେ ଋଣୀ କରିଦେଲୁ। ମୋ ଉପରେ ଯେଉଁ ଋଣ ବୋଝ ଲଦି ଦେଲୁ, ତାହା ମୁଁ ଏ ଜନ୍ମରେ ଶୁଝି ପାରିବି ନାହିଁ। ମୁଁ କଥା ଦେଉଛି ଆର ଜନ୍ମରେ ତୋର ଋଣ ନିଶ୍ଚିତ ପରିଶୋଧ କରିବି। ତୋର ପୁଚ୍ଛ କୁ ମୋର ମୁଣ୍ଡରେ ସାରାଜୀବନ ଧାରଣ କରି ତୋର ଋଣ ଶୁଝିବି । ମୟୂର ଟି ସେହି କଥା ଶୁଣି ସେଠାରେ ମଲା।

ତାପରେ ଆର ଜନ୍ମରେ ଭଗବାନ କୃଷ୍ଣ ହେଲେ। ମୟୂର କୁ ଦେଇଥିବା କଥା ଅନୁସାରେ ଭଗବାନ ଶ୍ରୀକୃଷ୍ଣ ସାରା ଲୀଳା ତକ ନିଜର ମସ୍ତକରେ ମୟୂର ପୁଚ୍ଛ ସହ ମୁକୁଟ ଧାରଣ କରି ଋଣ ଶୁଝିଲେ ।

ତାତ୍ପର୍ଯ୍ୟ ଏହାକି, ଭଗବାନ ଙ୍କୁ ୠଣ ଶୁଝିବା ନିମନ୍ତେ ଆଉଥରେ ଜନ୍ମ ନେବାକୁ ପଡିଲା। କିନ୍ତୁ ଆମେ ତ ସାଧାରଣ ତେଲ ଲୁଣ ସଂସାର ର ମଣିଷ, ଆମେ ତ ଅନେକ ଋଣ ବନ୍ଧନରେ ବାନ୍ଧି ହୋଇଛେ। ଏହାକୁ ପରିଶୋଧ କରିବାକୁ ଆମକୁ କେତେ କେତେ ଜନ୍ମ ନେବାକୁ ପଡ଼ିବ। ତେଣୁ ଆସନ୍ତୁ, ଏ ଦିବ୍ୟ ମାନବ ଜନ୍ମ ରେ ଆମେ ଯେତେ ଯେତେ ଭଲ କାମ ଅଛି କରିଯିବା। ଯାହା ଦ୍ଵାରା କି କିଛି କିଛି ଋଣ ପରିଶୋଧ କରିବାର ପ୍ରୟାସ ଜାରି ରଖିବା