ଗଣତନ୍ତ୍ର ଉପରେ କଳାର ବାଦଲ !

ନିରୀହ ରକ୍ତରେ ହୋରି.. !
ସେନା ହାତରେ ଶାସନତନ୍ତ୍ର , ପ୍ରତିବାଦ କଲେ ଗୁଳି ..!!
ମିଆଁମାରର ମହାଭାରତ..!!!

ୱାଶିଂଟନ୍: ମିଆଁମାରରେ ବଳପୂର୍ବକ କ୍ଷମତା ହାସଲ କରିଥିବା ସେନା ବାହିନୀର ବର୍ବରତା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେନା ବାହିନୀର କ୍ଷମତା ଦଖଲକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିବା ଲୋକଙ୍କ ଉପରେ ସୁରକ୍ଷରକର୍ମୀମାନେ ଅତର୍କିତ ଗୁଳି ଚଳାଇବାକୁ ପଛାଉ ନାହାନ୍ତି। ବିଭିନ୍ନ ସ୍ଥାନରେ ଲୁଚି ରହିଥିବା ଲୋକଙ୍କ ଉପରେ ମିସାଇଲ ମାଡ଼ କରାଯାଉଥିବା ମଧ୍ୟ ଜଣାପଡ଼ିଛି। ଦେଶରେ ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ମିଆଁମାରବାସୀ ଅନ୍ୟ ରାଷ୍ଟ୍ରକୁ ଚାଲି ଯିବାକୁ ପ୍ରକ୍ରିୟା ଆରମ୍ଭ କଲେଣି। ଭାରତ ସେମତ ଏକାଧିକ ରାଷ୍ଟ୍ରରେ ସେମାନେ ଶରଣାର୍ଥୀ ଭାବେ ରହିବାକୁ ଚାହୁଁଥିବା ମତ ଦେଇଛନ୍ତି।

ଏସବୁ ଭିତରେ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମିଆଁମାରରେ ଚାଲିଥିବା ଗୃହଯୁଦ୍ଧକୁ ତୀବ୍ର ନିନ୍ଦା କରିଛନ୍ତି।ଗଣତନ୍ତ୍ର ଉପାୟରେ ବିରୋଧ ପ୍ରଦର୍ଶନ କରୁଥିବା ସାଧାରଣ ନାଗରିକଙ୍କୁ ହତ୍ୟା କରିବା ଆଦୌ ଗ୍ରହଣୀୟ ନୁହେଁ। ଏହା ଅତ୍ୟନ୍ତ ଭୟଙ୍କର ଓ କୃରତାର ପରିଚୟ। ବହୁ ସଂଖ୍ୟକ ଲୋକଙ୍କୁ କୌଣସି କାରଣ ନଥାଇ ହତ୍ୟା କରାଯାଇଛି ବୋଲି ବାଇଡେନ କହିଛନ୍ତି।

ଆମେରିକା ପକ୍ଷରୁ କୁହାଯାଇଛି ଯେ ମିଆଁମାରରେ ଶନିବାର ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ସେହିପରି ୟାଙ୍ଗୋନରେ ଥିବା ଆମେରିକାର ପ୍ରତିଷ୍ଠାନଗୁଡ଼ିକ ଉପରେ ଗୁଳି ମାଡ଼ କରାଯାଇଛି। ଏହି ଘଟଣାର ଏବେ ତଦନ୍ତ କରାଯାଉଛି। ମିଆଁମାର ସେନା ଦେଶର ଜାତୀୟ ସଶସ୍ତ୍ର ବାହିନୀ ଦିବସରେ ବର୍ବର ଆଭିମୁଖ୍ୟ ଗ୍ରହଣ କରି ଶହ ଶହ ଲୋକଙ୍କ ଜୀବନ ନେଇଛି। ଶନିବାର ସେନା ଦ୍ୱାରା ବେଆଇନ କ୍ଷମତା ହାସଲ କରିବା ପରେ ସବୁଠାରୁ ରକ୍ତରଞ୍ଜିତ ଦିନ ଥିଲା ବୋଲି ଆମେରିକାର ଜଣେ ସାଂସଦ କହିଛନ୍ତି।

ଗଣତନ୍ତ୍ରର ସମର୍ଥନରେ ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀଙ୍କ ଉପରେ ଶନିବାର ସେନା କରିଥିବା ଗୁଳିମାଡ଼ରେ ୧୧୪ ଜଣଙ୍କ ମୃତ୍ୟୁ ଘଟିବା ପରେ ସାରା ବିଶ୍ୱରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ବିଶ୍ୱର ପ୍ରାୟ ୧୨ରୁ ଅଧିକ ଦେଶ ମିଳିତ ଭାବେ ମିଆଁମାର ସେନାର ପଦକ୍ଷେପକୁ ବିରୋଧ କରିଛନ୍ତି। ସେମାନେ ସେନା ବାହିନୀକୁ ବର୍ବରକାଣ୍ଡ ବନ୍ଦ କରି ଲୋକଙ୍କ ଦାବି ଶାନ୍ତିପୂର୍ଣ୍ଣ ଭାବେ ଶୁଣିବାକୁ ପରାମର୍ଶ ଦେଇଛନ୍ତି। ଏହି ୧୨ ରାଷ୍ଟ୍ର ମଧ୍ୟରେ ଆମେରିକା, ବ୍ରିଟେନ, ଜର୍ମାନୀ, ଇଟାଲୀ, ଡେନମାର୍କ, ଗ୍ରୀସ୍, ନେଦରଲ୍ୟାଣ୍ଡସ, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ କୋରିଆ ଓ ଜାପାନ ରହିଛନ୍ତି।