ଚିନ୍ତା ବଢ଼ାଉଛି ପ୍ରାଣଘାତକ କଳା ଫଙ୍ଗସ୍!

ଭୁବନେଶ୍ୱର,(ଏସ୍ ନ୍ୟୁଜ):କରୋନା ସଂକ୍ରମଣ ପରେ ଏବେ ଚିନ୍ତା ବଢାଉଛି ପ୍ରାଣଘାତକ ବ୍ଲାକ୍ ଫଙ୍ଗସ୍ । ବିଜ୍ଞାନର ଭାଷାରେ ଏହାକୁ ମ୍ୟୁକୋରମାଇକୋଶିଷ୍ ବୋଲି କୁହାଯାଉଚି। ଦେଶର ବିଭିନ୍ନ ରାଜ୍ୟରେ ଏହି ଇନଫେକ୍ସନ ବହୁମାତ୍ରାରେ ବ୍ୟାପୁଥିବା ବେଳେ ଏବେ ଓଡ଼ିଶାରେ ମଧ୍ୟ ଏହାର ସ୍ଥିତି ଦେଖିବାକୁ ମିଳିଛି । ଓଡ଼ିଶାରେ ଏପର୍ଯ୍ୟନ୍ତ ୪ଜଣ କରୋନା ରୋଗୀଙ୍କଠାରେ ବ୍ଲାକ୍ ଫଙ୍ଗସ୍ ଇନଫେକ୍ସନ ଦେଖିବାକୁ ମିଳିଛି । ଏହି ରୋଗୀଙ୍କ ଅବସ୍ଥା ଏବେ ସ୍ଥିର ଥିବା ବେଳେ ଏହି ସଂକ୍ରମଣର ଚିକିତ୍ସା ମଧ୍ୟ ଚାଲୁ ରହିଛି । ସଂରକ୍ଷିତ ଜଳ ଏହି ସଂକ୍ରମଣର ଉତ୍ସ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ) ପି.କେ ମହାପାତ୍ର ସୂଚନା ଦେଇଛନ୍ତି । ଇନଫେକ୍ସନକୁ ପ୍ରାଥମିକ ଅବସ୍ଥାରୁ ଚିହ୍ନଟ କରି ଯଥାଶିଘ୍ର ଏହାର ଚିକିତ୍ସା ଆରମ୍ଭ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ମଧୁମେହ ଥିବା ବ୍ୟକ୍ତିମାନେ ସବୁବେଳେ ସୁଗାର ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ପରାମର୍ଶ ଦେଉଛନ୍ତି ଡାକ୍ତର ।
କାରଣ ମୁଖ୍ୟତଃ ମଧୁମେହ ଓ ଷ୍ଚେରଏଡ୍ ଚିକିତ୍ସାରେ ଥିବା ରୋଗୀମାନଙ୍କଠାରେ ଏହି ବ୍ଲାକ ଫଙ୍ଗସ୍ ଦେଖିବାକୁ ମିଳୁଛି । ଆକ୍ରାନ୍ତଙ୍କ ଶରୀରରେ କଳା ରଙ୍ଗର ଯାଦୁ ବା ବ୍ଲାକ ଫଙ୍ଗସ୍ ଦେଖାଯାଉଛି । ଅନ୍ୟପକ୍ଷରେ ଯଦି ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଚିହ୍ନଟ ନହୁଏ ତେବେ ଏହା ଶୀଘ୍ର ବିସ୍ତାର ହୋଇପାରେ ଏବଂ ମସ୍ତିଷ୍କ, ଫୁସଫୁସ ଏବଂ ଟିସୁ ପରି ବିଭିନ୍ନ ଅଙ୍ଗକୁ ନଷ୍ଟ କରିପାରେ । ବିଳମ୍ବ କଲେ ସ୍ଥିତି ସାଂଘାତିକ ହୋଇ ଶେଷରେ ଅସ୍ତ୍ରୋପଚାରର ଆବଶ୍ୟକ ପଡ଼ିପାରେ ।
ବ୍ଲାକ୍ ଫଙ୍ଗସ୍ ଇନଫେକ୍ସନର ଲକ୍ଷଣ -ଆଖି ଓ ନାକ ଚାରିପାଖରେ ଯନ୍ତ୍ରଣା,ଆଖି ଲାଲ୍ ପଡିଯିବା,ଜ୍ୱର,ମୁଣ୍ଡବିନ୍ଧା,କାଶ ଓ ନିଶ୍ୱାସ-ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବା । ଏଣୁ ଭୟ ନକରି ଠିକ୍ ସମୟରେ ଏହାକୁ ଚିହ୍ନଟ କରି ଏହାର ଚିକିତ୍ସା କରିବା ଅତି ଜରୁରୀ ।