ଆଜିଠୁ ସିନେମା ହଲ୍ ହାଉସ୍‌ଫୁଲ୍‌

ନୂଆଦିଲ୍ଲୀ :ଆଜିଠୁ ହାଉସଫୁଲ୍‌ ହେବ ସିନେମା ହଲ୍। ଶତ ପ୍ରତିଶତ ଦର୍ଶକକୁ ନେଇ ଚାଲିବ ଥିଏଟର। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରୀନ ସିଗନାଲ ମିଳିବା ପରେ ଆଜିଠାରୁ ପୂର୍ଣ୍ଣମାତ୍ରରେ ରାଜ୍ୟର ଥିବା ସିନେମା ହଲ୍ ଖୋଲୁଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଫେବ୍ରୁଆରି ଗାଇଡ ଲାଇନ୍ ଅନୁଯାୟୀ ସିନେମା ହଲ୍ ଖୋଲିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅନୁମତି ମିଳିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହୋଇପାରିବ। ଫିଲ୍ମ ଡିଷ୍ଟ୍ରିବୁଟର ଓ ହଲ୍ ମାଲିକମାନେ ଉପକୃତ ହେବା ନେଇ ଆଶା କରାଯାଉଛି।

ଗତ ବର୍ଷ ଅକ୍ଟୋବରରେ ସିନେମାହଲଗୁଡ଼ିକୁ ଅଧା ଦର୍ଶକରେ ଖୋଲିବାକୁ ଅନୁମତି ଦିଆଯାଇଥିଲା ବେଳେ ଏବେ ପୂର୍ଣ୍ଣ ଦର୍ଶକ ସହିତ ଖୋଲିବାକୁ ଅନୁମତି ଦିଆଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏସଓପି ଅନୁଯାୟୀ ସିନେମା ହଲ ବାହାରେ, ଲବି ଓ ଜନଗହଳି ରହୁଥିବା ସ୍ଥାନରେ ସାମାଜିକ ଦୂରତ୍ବ ପାଳନ କରାଯିବ। ଲୋକଙ୍କ ମଧ୍ୟରେ ଅତିକମରେ ୬ ଫୁଟ ଦୂରତ୍ବ ରହିବ। ସିନେମାର ମଧ୍ୟାନ୍ତର ବା ଇଣ୍ଟରଭାଲ ଅବଧିକୁ ଟିକିଏ ଲମ୍ବା କରାଯିବ। ଯଦ୍ବାରା ଲୋକମାନେ ସାମାଜିକ ଦୂରତ୍ବ ପାଳନ କରି ସିଟ ପାଖରେ ପହଞ୍ଚିପାରିବେ। ସିନେମା ହଲ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ହଲ ଭିତରେ ପ୍ରବେଶ ପୂର୍ବରୁ ସାନିଟାଇଜର ବ୍ୟବସ୍ଥା ରହିବ। ଟିକେଟ କାଉଣ୍ଟରରେ ଗହଳି କମାଇବାକୁ ଅଧିକ ସଂଖ୍ୟକ କାଉଣ୍ଟର ଖୋଲାଯିବ। ପାର୍କିଂ ସ୍ଥାନରେ ଯେପରି ଅଧିକ ଗହଳି ନ ହୁଏ, ସେ ଦିଗରେ ପଦକ୍ଷେପ ନିଆଯିବ। ଅନଲାଇନ ବୁକିଂକୁ ପ୍ରୋତ୍ସାହିତ କରାଯିବ। ପ୍ରବେଶ ବେଳେ ଦର୍ଶକଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ। ଦର୍ଶକମାନେ ଥିଏଟର ପରିସରରେ ଥିବା ଦୋକାନରୁ ପୂର୍ବଭଳି ଖାଦ୍ୟସାମଗ୍ରୀ କ୍ରୟ କରିପାରିବେ। ସିନେମା ହଲ ଓ ଥିଏଟର ପରିସରକୁ ସାନିଟାଇଜ କରାଯିବ। ଯେଉଁସବୁ ସ୍ଥାନଗୁଡିକଙ୍କ ସଂସ୍ପର୍ଶରେ ଲୋକମାନେ ବାରମ୍ବାର ଆସୁଥିବେ ସେସବୁକୁ ବାରମ୍ବାର ସାନିଟାଇଜ୍ କରାଯିବ। ପ୍ରତ୍ୟେକ ଶୋ’ ପରେ ଅଡ଼ିଟୋରିଅମକୁ ମଧ୍ୟ ସାନିଟାଇଜ୍ କରାଯିବା ବାଧ୍ୟତାମୂଳକ ବୋଲି ଏସଓପିରେ କୁହାଯାଇଛି।