କୋଇଲା ଦୁର୍ନୀତି: ରାଜ୍ୟରେ ସିବିଆଇ ଚଢ଼ଉ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): କୋଇଲା ଦୁର୍ନୀତି ଅଭିଯୋଗରେ ଆଜି ସିବିଆଇ ଓଡ଼ିଶା ସମେତ ୩ଟି ରାଜ୍ୟରେ ଚଢ଼ଉ କରିଛି। ଆସନସୋଲସ୍ଥିତ ଇଷ୍ଟର୍ଣ୍ଣ କୋଲଫିଲଡରେ କୋଇଲା ଦୁର୍ନୀତି ଅଭିଯୋଗ ହୋଇଥିଲା।ମିଳିଥିବା ସୂଚନା ଅନୁଯାୟୀ, ସିବିଆଇ ଓଡ଼ିଶାର ୧୫ଟି ସ୍ଥାନରେ ଚଢ଼ଉ କରିଛି। ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ ବି ଚଢ଼ଉ କରାଯାଇଛି। ଇସିଏଲର ଦୁଇ ମହାପ୍ରବନ୍ଧକ (ଜଣେ ଅବସରପ୍ରାପ୍ତ), ମ୍ୟାନେଜର (ସୁରକ୍ଷା), ଇନସପେକ୍ଟର (ସୁରକ୍ଷା), ଜଣେ କୋଲିଆରୀ ଏଜେଣ୍ଟଙ୍କ ଘରେ ଚଢ଼ଉ କରାଯାଇଛି। କମ୍ପାନିର ଜଣେ ମହାପ୍ରବନ୍ଧକଙ୍କ ଘରୁ ନଗଦ ୨୦ ଲକ୍ଷ ଟଙ୍କା, ଜୁଏଲାରୀ ଓ ସମ୍ପତ୍ତି କାଗଜପତ୍ର ଜବତ ହୋଇଛି। ଅନ୍ୟ ଅଭିଯୁକ୍ତମାନଙ୍କ ପାଖରୁ ମଧ୍ୟ କେତେକ ସମ୍ପତ୍ତି କାଗଜପତ୍ର, ଲକର ଆଦି ଜବତ କରାଯାଇଛି। ବେଆଇନ କୋଇଲା ଖନନ ଓ ଚାଲାଣ ବିରୋଧରେ ଗତ ବର୍ଷ ନଭେମ୍ବର ୨୭ରେ ସିବିଆଇ ଉକ୍ତ ୬ ଜଣ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।