ଷ୍ଟକ ବଜାରରେ ଉତ୍ସାହ

ଗତ ୧ ତାରିଖ ଦିନ ଲୋକସଭାରେ ବଜେଟ୍ ଉପସ୍ଥାପନ ହେବାପରଠାରୁ ଭାରତୀୟ ଷ୍ଟକ ବଜାରରେ ବୃଦ୍ଧି ଜାରି ରହିଛି । ଆଜି ସେନସେକ୍ସ ପ୍ରଥମ ଥର ପାଇଁ ୫୦ ହଜାର ପଏଣ୍ଟ ଉପରେ ବନ୍ଦ ହୋଇଛି ।

ଗତକାଲି ବିଏସଇ ସେନସେକ୍ସ ୧୧୯୭.୧୧ ପଏଣ୍ଟ ବୃଦ୍ଧି ପାଇ ୪୯,୭୯୭.୭୨ ପଏଣ୍ଟରେ ବନ୍ଦ ହୋଇଥିଲା । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟୀ ୩୬୬.୬୫ ପଏଣ୍ଟ ବୃଦ୍ଧି ପାଇ ୧୪,୬୪୭.୩୫ ପଏଣ୍ଟରେ ବନ୍ଦ ହୋଇଥିଲା ।
ନୂଆ ବଜେଟରେ କେନ୍ଦ୍ର ସରକାର କୌଣସି ଲୋକପ୍ରିୟ ଘୋଷଣା ନକରି ସଂସ୍କାର ପ୍ରକ୍ରିୟାକୁ ଆଗେଇ ନେବା ଉପରେ ଗୁରୁତ୍ୱ ଦେଇଛନ୍ତି । ଆହୁରି ମଧ୍ୟ ରାଜସ୍ବ ନିଅଣ୍ଟକୁ ଭରଣା କରିବାକୁ ସରକାର ନୂଆ ଟିକସ ଲାଗୁ କିମ୍ବା ବଣ୍ଡ ଇସ୍ୟୁ କରିପାରନ୍ତି ବୋଲି ପୂର୍ବରୁ ଆଶଙ୍କା କରାଯାଉଥିଲେ ମଧ୍ୟ ସରକାର ସେପରି କିଛି କରିନାହାନ୍ତି । ଫଳରେ ନିବେଶକମାନେ ଉତ୍ସାହିତ ହୋଇଉଠିଛନ୍ତି । ଏହି କାରଣରୁ ଷ୍ଟକବଜାରରେ ଉତ୍ସାହ ଦେଖାଦେଇଛି

୨ ଦିନରେ ମୋଟ ୩୫୧୨ ପଏଣ୍ଟ ବୃଦ୍ଧି ପାଇଥିବା ସେନସେକ୍ସ ଆଜି ଆଉ ୪୫୮ ପଏଣ୍ଟ ବୃଦ୍ଧି ପାଇ ୫୦,୨୫୫.୭୫ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଚର ସୂଚକାଙ୍କ ନିଫଟୀ ୧୪୨ ପଏଣ୍ଟ ବୃଦ୍ଧି ପାଇ ୧୪୭୮୯.୯୫ ପଏଣ୍ଟରେ ବନ୍ଦ ହୋଇଛି । ସୂଚକାଙ୍କରେ ଏହି ବୃଦ୍ଧି ଫଳରେ ଗତ ତିନିଦିନରେ ନିବେଶକମାନଙ୍କ ସଂପତ୍ତି ପ୍ରାୟ ୧୨.୩୨ ଲକ୍ଷ କୋଟି ବୃଦ୍ଧି ପାଇଛି ।