ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଗୋଲାପି ବଲ୍‌ ଟେଷ୍ଟମ୍ୟାଚ୍

ଅହମ୍ମଦାବାଦ:  ଭାରତରେ ତିଆରି ହୋଇଥିବା ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମରେ ଆସନ୍ତାକାଲି ଠାରୁ ଟିମ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଆରମ୍ଭ ହେବ। ଅହମଦାବାଦରେ ନୂଆ କରି ତିଆରି ହେବା ପରେ ସର୍ଦ୍ଦାର ପଟେଲ ଷ୍ଟାଡିୟମରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇ ନାହିଁ। ଭାରତ ଓ ଇଂଲଣ୍ଡ ପିଙ୍କ ବିଲ୍‌ରେ ଏଠାରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବେ। ଅର୍ଥାତ ଏହା ଦିବାରାତ୍ର ଟେଷ୍ଟ। ଭାରତୀୟ ସମୟ ୨.୩୦ରୁ ଏହି ମ୍ୟାଚ୍‌ ଆରମ୍ଭ ହେବ। ବୁଧବାରଠାରୁ ମୋଟେରା ଷ୍ଟାଡିୟମ୍‌ରେ ଘରୋଇ ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ୩ୟ ଟେଷ୍ଟମ୍ୟାଚ୍ ଖେଳାଯିବ। ଏହି ଦିବାରାତ୍ର ମ୍ୟାଚ୍ ଗୋଲାପି ବଲ୍‌ରେ ଖେଳାଯିବ। ଭାରତୀୟ ଦଳ ପାଇଁ ଏହା ୩ୟ ଦିବାରାତ୍ର ଟେଷ୍ଟମ୍ୟାଚ୍‌ ହେବ। ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ୍‌ ଦିବାରାତ୍ର ଟେଷ୍ଟରେ ୩୬ ରନ୍‌ରେ ଅଲ୍‌ଆଉଟ ହୋଇ ଭାରତ ପରାସ୍ତ ହୋଇଥିଲା। ଦିବାରାତ୍ର ଟେଷ୍ଟରେ ଭାରତ ୧-୧ ସ୍ଥିତିରେ ଥିବା ବେଳେ ଚଳିତ ଟେଷ୍ଟ ସିରିଜ୍ ମଧ୍ୟ ୧-୧ ସ୍ଥିତିରେ ରହିଛି। ପ୍ରଥମ ଟେଷ୍ଟରେ ଅଧିନାୟକ ଜୋ ରୁଟ୍‌ଙ୍କ ଦ୍ବିଶତକ ବଳରେ ଇଂଲଣ୍ଡ ଜିତିଥିବା ବେଳେ ୨ୟ ଟେଷ୍ଟରେ ଭାରତୀୟ ସ୍ପିନରଙ୍କ ଜାଲରେ ଛନ୍ଦିହୋଇ ପରାସ୍ତ ହୋଇଥିଲା ଇଂଲଣ୍ଡ। ବିଶ୍ୱର ଏହି ସର୍ବବୃହତ୍ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଏହା ଦିବାରାତ୍ର ଟେଷ୍ଟମ୍ୟାଚ୍‌ ହୋଇଥିବାରୁ ଇଂଲଣ୍ଡର ପେସ୍ ବୋଲର ଏଥିରୁ ଫାଇଦା ପାଇବାକୁ ଲକ୍ଷ୍ୟ ରଖିଛନ୍ତି ନିଶ୍ଚୟ। ହେଲେ ଇଂଲଣ୍ଡକୁ ଏହି ସୁବିଧାରୁ ବଞ୍ଚିତ କରିବା ଲାଗି ମୋଟେରାରେ ସ୍ପିନ୍ ଉପ​ରେ ​‌ଯାଗୀ ପିଚ୍‌ ପ୍ରସ୍ତୁତ ହୋଇଛି।

ଗୋଲାପି ବଲ୍‌ର ରଙ୍ଗ ବଜାୟ ରଖିବାକୁ ପିଚ୍‌ରେ ସାମାନ୍ୟ ଘାସ ଥିବାରୁ ଆରମ୍ଭରୁ ପେସ୍ ବୋଲର ସାମାନ୍ୟ ସହାୟତା ପାଇପାରନ୍ତି। ପରେ ସ୍ପିନର ଏଥିରୁ ଫାଇଦା ପାଇବେ। ତଥାପି ଉଭୟ ଦଳ ଟସ୍ ଜିତି ବ୍ୟାଟିଂ କରିବାର ଯୋଜନା କରିଛନ୍ତି। ସନ୍ଧ୍ୟା ୫ଟାରୁ ୭ଟା ମଧ୍ୟରେ ବଲ୍‌ ଅଧିକ ସ୍ବିଙ୍ଗ୍‌ ହେବାର ଥିବାରୁ ଏଥିପ୍ରତି ଉଭୟ ଦଳର ବ୍ୟାଟ୍‌ସମ୍ୟାନ୍ ସତର୍କ ରହିବେ। ଅଦ୍ୟାବଧି ଖେଳା ଯାଇଥିବା ୧୫ଟି ଗୋଲାପି ବଲ୍‌ ଟେଷ୍ଟରେ ପେସ୍ ବୋଲର ୩୫୪ଟି ଓ ସ୍ପିନର ୧୧୫ଟି ୱିକେଟ ନେଇଛନ୍ତି। ୨୦୧୯ରେ ଭାରତର ସର୍ବପ୍ରଥମ ଦିବାରାତ୍ର ଟେଷ୍ଟରେ ବିରାଟ​ କୋହଲି ଶତକ ମାରିଥିଲେ। ଏହାପରେ ୩୪ଟି ଆନ୍ତର୍ଜାତିକ ଇନିଂସ ଖେଳି ସେ ଶତକ ମାରିନାହାନ୍ତି। ଏହା ଧାରାକୁ ଜଲ୍‌ଦି ଭାଙ୍ଗିବାକୁ କୋହଲି ଚାହିଁବେ। ଭାରତ ଜିତିଲେ ଘରୋଇ ମାଟିରେ କୋହଲି ସଫଳତମ ଭାରତୀୟ ଟେଷ୍ଟ ଅଧିନାୟକ ହେବେ। ଅନ୍ୟପକ୍ଷରେ ଇଂଲଣ୍ଡ ଜିତିଲେ ମାଇକେଲ ଭନ୍‌ଙ୍କୁ ପଛରେ ପକାଇ ରୁଟ୍‌ ଇଂଲଣ୍ଡର ସଫଳତମ ଟେଷ୍ଟ ଅଧିନାୟକ ହେବେ