ସୁରଟ ପ୍ୟାକେଜିଂ କାରଖାନାରେ ବଡ ଧରଣର ଅଗ୍ନିକାଣ୍ଡ

ଏଠାରେ ଥିବା ଏକ ପ୍ୟାକେଜିଂ କାରଖାନାରେ ସୋମବାର ସକାଳେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅଗ୍ନିଶମ ବାହିନୀ ଉକ୍ତ କୋଠା ମଧ୍ୟରୁ ୧୨୫ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଛି । ନିଆଁଲିଭା କାମରେ ୧୦ରୁ ଅଧିକ ଅଗ୍ନିଶମ ଗାଡିକୁ ନିୟୋଜିତ କରାଯାଇଛି । କାରଖାନାରେ ନିଆଁ ଲାଗିଯିବା ପରେ ୫ ମହଲା ଉପରୁ ଭୟରେ କିଛି ଶ୍ରମିକ, କର୍ମଚାରୀ ତଳକୁ ଡେଉଁଥିବା ଦେଖିବାକୁ ମିଳିଥିଲା । ପୁଲିସ ସୂତ୍ରରୁ ପ୍ରକାଶ ଯେ କାଦୋଦରା ଶିଳ୍ପାଞ୍ଚଳର ଭାରେଲି ଅଞ୍ଚଳରେ ଥିବା କାରଖାନାରେ ଏହି ଅଗ୍ନିକାଣ୍ଡ ଘଟିଛି । ଶ୍ରମିକ, କର୍ମଚାରୀମାନେ ଭିଭା ପ୍ୟାକେଜିଂ କମ୍ପାନୀ ନାମକ ଏହି ସଂସ୍ଥାର ପଞ୍ଚମ ମହଲାରେ କାମ କରୁଥିବାବେଳେ ଭୋର ପ୍ରାୟ ୪.୩୦ରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିଶମ ବାହିନୀକୁ ଖବର ଦିଆଯିବା ପରେ ସେଠାରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁଲିଭା ଗାଡି ସହିତ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିବା ସହିତ ଭିତରେ ରହିଯାଇଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣାରେ ଦୁଇଜଣ ପୋଡିଯାଇ ପ୍ରାଣ ହରାଇଥିବା ବର୍ଦ୍ଦୋଳି ଡିଭିଜନ ପୁଲିସ ଡିଏସପି ରୁପାଲ ସୋଲାଙ୍କି କହିଛନ୍ତି । କାଦୋଦରା ଥାନା ଇନ୍ସପେକ୍ଟର ହେମନ୍ତ ପଟେଲ କହିଛନ୍ତି ଯେ ପ୍ରଥମେ କାରଖାନାର ପ୍ରଥମ ମହଲାରେ ନିଆଁ ଲାଗିବା ପରେ ତାହା ଖୁବଶୀଘ୍ର ଅନ୍ୟ ମହଲାଗୁଡିକୁ ବ୍ୟାପିଯାଇଥିଲା । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।