ପାଲଘରରେ ସାଧୁଙ୍କୁ ପିଟି ପିଟି ହତ୍ୟା ମାମଲାରେ ଆଉ ୨୪ ଗିରଫ

ପାଲଘର : ମହାରାଷ୍ଟ୍ର ପାଲଘରରେ ଦୁଇ ସାଧୁଙ୍କୁ ପିଟି ପିଟି ହତ୍ୟା ମାମଲାରେ ପୁଣି ୨୪ ଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଏବେ ସୁଦ୍ଧା ୩ଟି ଏଫଆଇଆର ରୁଜ୍ଜୁ କରାଯାଇଛି ଏବଂ ୧୭୮ ଜଣଙ୍କୁ ଗିରଫ କରାଯାଇଛି।

ମାମଲାର ଯାଞ୍ଚ କରୁଥିବା ମହାରାଷ୍ଟ୍ର ସିଆଇଡି ଅଧିକାରୀ ଇରଫାନ ଶେଖ କହିଛନ୍ତି ଯେ, ମୋବ ଲିଚିଙ୍ଗ ମାମଲାରେ ଆହୁରି ୨୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏମାନେ ଦୁଇ ସାଧୁଙ୍କ ହତ୍ୟା ମାମଲା ସହ ଜଡିତ। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର ଦିନ କୋର୍ଟରେ ହାଜର କରାଯିବ। ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ନାବାଳକ ସାମିଲ ଅଛନ୍ତି।

ସୂଚନା ଅନୁସାରେ , ଏପ୍ରିଲ ୧୬ ତାରିଖରେ ମହାରାଷ୍ଟ୍ର ପାଲଘର ଜିଲ୍ଲା ଗଢ଼ଚିଞ୍ଚଲି ଗାଁରେ ଦୁଇ ଜଣ ସାଧୁ ଓ ଜଣେ ଡ୍ରାଇଭରକୁ ପଥର, ବାଡ଼ି ଓ କୁରାଢ଼ୀରେ ଆକ୍ରମଣ କରିଥିଲେ। ଦୁଇ ଜଣ ସାଧୁ ପାଲଘର ଦେଇ ସୁରଟ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିଲେ। ଶିଶୁ ଚୋରି ଓ ଅଙ୍ଗ ତସ୍କରୀ ସନ୍ଦେହରେ ଗ୍ରାମବାସୀ ଏମାନଙ୍କୁ ଆକ୍ରମଣ କରିବା ସହ ପିଟି ପିଟି ହତ୍ୟା କରିଥିଲେ।